ରାଜ୍ୟର ଭିକାରୀ ତାଲିକା ଦେଲେ ସରକାର । ଜାଣନ୍ତୁ କେଉଁଠି ଅଧିକ, କେଉଁଠି କମ?

373

କନକ ବ୍ୟୁରୋ : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ? ସରକାର କେତେ ଜଣ ଭିକାରୀଙ୍କୁ ଚିହ୍ନଟ କରିଛନ୍ତି । ଏମାନଙ୍କ ମଧ୍ୟରେ ପୁରୁଷ, ମହିଳା ଓ ଶିଶୁ ଭିକ୍ଷୁକଙ୍କ ସଂଖ୍ୟା କେତେ ରହିଛି । ଏମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି । ଆଜି ବିଧାନସଭାରେ ବିଧାୟକ ନାଉରୀ ନାଏକ ଏଭଳି ପ୍ରଶ୍ନ ପଚାରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିଛନ୍ତି ।

ଲିଖିତ ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଏବେସୁଦ୍ଧା ୬୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମଧ୍ୟରେ ୪୧୨୮ଟି ଜଣ ପୁରୁଷ ଓ ୨୮୪୨ ଜଣ ମହିଳା ଭିକାରୀ ରହିଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଥିବା ବେଳେ ବରଗଡରେ ଦ୍ୱିତୀୟ ସର୍ବାଧିକ ୫୯୫ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ବୌଦ୍ଧରେ ସର୍ବନିମ୍ନ ୫ ଜଣ ଭିକାରୀ ଚିହ୍ନଟ ହୋଇଥିବା କହିଛନ୍ତି ମନ୍ତ୍ରୀ ।

ତେବେ ଚିହ୍ନଟ ହେଉଥିବା ଭିକାରୀଙ୍କ ପାଇଁ ସହାୟ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ତ୍ରୀ । ଏହାସହ ପ୍ରଥମ ପର୍ଯ୍ୟାୟରେ ପୁରୀାର ନିଳାଦ୍ରୀ ନିଳୟ ଓ ଭୁବନେଶ୍ୱର ଠାରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ସହରରୁ ଭିକ୍ଷୁକମୁକ୍ତ କରିବାକୁ କାର୍ଯ୍ୟକ୍ରମ କରାଯାଉଛି । ଏହାସହ ଖୋର୍ଦ୍ଧା, ସମ୍ବଲପୁରରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯିବ ସହ ରାଉରକେଲା ମୁନିସିପାଲଟି, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କଟକରେ ମଧ୍ୟ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ବିଚାରଧୀନ ଥିବା କହିଛନ୍ତି ମନ୍ତ୍ରୀ ।