ଅଚଳ ହୋଇଯିବ ୧୭ କୋଟିରୁ ଅଧିକ ପାନକାର୍ଡ । ମାର୍ଚ୍ଚ ୩୧ ତାରିଖ ଯାଏଁ ସରକାର ଦେଲେ ଡେଡଲାଇନ୍ ।

1,614

କନକ ବ୍ୟୁରୋ : ରଦ୍ଦ ହୋଇପାରେ ଆପଣଙ୍କ ପାନ୍ କାର୍ଡ ! ଆଧାର ନମ୍ବର ସହିତ ପାନ୍ କାର୍ଡକୁ ଲିଙ୍କ୍‌ କରାଇବାର ସମୟ ସୀମାକୁ ଆଠ ଥର ବୃଦ୍ଧି କରାଗଲାଣି । ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇନାହିଁ । ସଂସଦ‌ରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାନୁଆରି ସୁଦ୍ଧା ୩୦.୭୫ କୋଟି ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇଛି । ଏବେବି ୧୭.୫୮ କୋଟି ପାନ୍ କାର୍ଡ ସହ ଆଧାର ଲିଙ୍କ୍‌ ହୋଇନାହିଁ । ଏହି କାର୍ଯ୍ୟ ସମାପନ କରିବା ଲାଗି କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମହଲତ ପ୍ରଦାନ କରିଛନ୍ତି । ଏହା ପରେ ଯେଉଁ ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ ହୋଇନଥିବ ତାହା ଅଚଳ ହୋଇଯିବ ।

ପାନ୍ କାର୍ଡ ସହିତ ଆଧାର ଲିଙ୍କ୍‌ କରାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହି ଅନୁସାରେ ୨୦୧୯ ଅର୍ଥ ବିଲ୍‌ରେ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମ ଅନୁସାରେ ଆଧାର ସହିତ ଲିଙ୍କ୍ ହୋଇନଥିବା ପାନ୍ କାର୍ଡ ଗୁଡ଼ିକୁ ଆୟକର ନିୟମର ଧାରା ୧୩୯ଏଏର ଖଣ୍ଡ ୪୧ ଅନୁସାରେ ନିସ୍କ୍ରିୟ ଘୋଷଣା କରାଯାଇପାରିବ । ଦେଶରେ ୪୮ କୋଟିରୁ ଅଧିକ ପାନ୍ କାର୍ଡ ଜାରି କରାଯାଇଛି । ଆୟକର ପଇଠ କରିବା ବେ‌ଳେ ୧୨ ଅଙ୍କ ବିଶିଷ୍ଟ ପାନ୍ ନମ୍ବରକୁ ବ୍ୟବହାର କରାଯାଉଛି । ଟିକସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଆଧାର ସହିତ ପାନ୍ ଲିଙ୍କ୍‌ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ବାରା ଜାଲ ପାନ୍ କାର୍ଡର ଅପବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଅନୁମାନ କରାଯାଉଛି । ଦେଶରେ ୧୨୦ କୋଟି ଆଧାର କାର୍ଡ ଜାରି କରାଯାଇଛି ।