image courtesy -Hindustan Times
କନକ ବ୍ୟୁରୋ : ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ସମୟସୀମାକୁ ବୃଦ୍ଧି କରାଯାଇଛି। ଗତ ଜୁଲାଇ ୨ରେ ପ୍ରକାଶିତ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖାର ଶେଷ ତାରିଖ ଜୁଲାଇ ୬ ଥିଲା। ତେବେ ଏହାକୁ ଏବେ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।
ଜୁଲାଇ ୯ ତାରିଖ ଅପରାହ୍ଣ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୩ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ମଧ୍ୟରେ ଅନୁଷ୍ଠିତ ହେବ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସରେ ବାହାରିବ। ଜୁଲାଇ ୨୦ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ଦେଶାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ କିଛି ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ପୂରଣ କରି ଅନ୍ଲାଇନରେ ଫି’ ଦାଖଲ କରିଛନ୍ତି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ସିଏଏଫ୍କୁ ସାମ୍ସ ରିସୋର୍ସ ସେଣ୍ଟର(ଏସ୍ଆରସି)ରେ ଦାଖଲ କରିପାରି ନାହାନ୍ତି। ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ ମଧ୍ୟରେ ନିକଟସ୍ଥ ଏସ୍ଆରସିରେ ସିଏଏଫ୍ ଦାଖଲ କରିପାରିବେ। କେତେକ ଛାତ୍ରଛାତ୍ରୀ ବିଭିନ୍ନ ବୋର୍ଡରୁ ଏ ପର୍ଯ୍ୟନ୍ତ ଓରିଜିନାଲ ମାର୍କସିଟ୍ ପାଇନାହାନ୍ତି। ଏଭଳି କ୍ଷେତ୍ରରେ ଛାତ୍ରଛାତ୍ରୀ ଇଣ୍ଟରନେଟ୍ରୁ ଡାଉନଲୋଡ କରିଥିବା ମାର୍କସିଟର ସେଲ୍ଫ ଆଟେଷ୍ଟେଡ୍ କପି ସହ ନାମଲେଖାର ୧୫ଦିନ ମଧ୍ୟରେ ଓରିଜିନାଲ ମାର୍କସିଟ୍ ଦାଖଲ କରିବାକୁ ଏକ ଅଣ୍ଡରଟେକିଂ ଦେବେ। ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ଓରିଜିନାଲ ମାର୍କସିଟ୍ ଦେଇ ନପାରନ୍ତି, କଲେଜ କର୍ତୃପକ୍ଷ ତାଙ୍କ ନାମଲେଖାକୁ ବାତିଲ୍ କରିପାରିବେ।
  
 Follow Us