ସହରର ବିକାଶ ସହ କୁସୁମାର ବିକାଶ ପାଇଁ ପୂରାଦମରେ ଲାଗିଛି ଜିଲ୍ଲା ପ୍ରଶାସନ ! ସେପଟେ ବସଷ୍ଟାଣ୍ଡର ହୋଇପାରୁନାହିଁ ପୁନଃରୁଦ୍ଧାର, ଯାତ୍ରୀଙ୍କ ମନରେ ବଢୁଛି ଅସନ୍ତୋଷ

305

କନକ ବ୍ୟୁରୋ : ଚିତ୍ରକୁ ଦେଖିଲେ ହିଁ ସ୍ପଷ୍ଟ ବାରି ହୋଇ ପଡୁଛି ବସଷ୍ଟାଣ୍ଡର ପୂରା ଭୂଗୋଳ । ଚାରିଆଡେ କେବଳ ପଚା ପାଣି ସାଙ୍ଗକୁ ଗୋଟା ଗୋଟା ପଇଡର ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ଜରି । ପଚପଚ କାଦୁଅ ମଧ୍ୟରେ ଭରି ରହିଛି ପୂରା ଅଂଚଳ । ସମସ୍ୟା ଏତିକି ନୁହେଁ ବରଂ ଅଖାପାଖରେ ଦୋକାନୀମାନେ ମଧ୍ୟ ନିଜନିଜ ବର୍ଜ୍ୟବସ୍ତୁ ଷ୍ଟାଣ୍ଡ ମଧ୍ୟରେ ପକାଇବା ପାଇଁ ପଛାଉନାହାନ୍ତି ।

 

ଏପରି ଅବସ୍ଥାରେ ରହିଛି ଯାଜପୁର ଟାଉନର ଏକମାତ୍ର ବସଷ୍ଟାଣ୍ଡ । ନୀତିଦିନ ପାଖାପଖି ୫୦ରୁ ଅଧିକ ଯାତ୍ରୀବାହୀ ବସ ସହ ଅନେକ ଛୋଟ ବଡ ଗାଡିରେ ରାଜ୍ୟ ତଥା ରାଜ୍ୟବାହାରୁ ଅନେକ ଲୋକ ସହରକୁ ଆସିଥାଆନ୍ତି । ହେଲେ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାକାର ପରିବେଶ ଓ ଦୃଶ୍ୟ ସେମାନଙ୍କୁ ବିଚଳିତ କରିବା ପରି ମନେ ହୁଏ । ହେବା ମଧ୍ୟ ସ୍ୱାଭାବିକ । ବସଷ୍ଟାଣ୍ଡରେ ଥିବା ଶୌଚାଳୟର ଅବସ୍ଥା ନକହିଲେ ଭଲ । ତେଣୁ ବାଧ୍ୟ ହୋଇ ବସଷ୍ଟାଣ୍ଡରେ ରଖାଯାଇଥିବା ଦୂରଗାମୀ ବସ ପଛରେ ଶୌଚାଳୟ ଭାବରେ ବ୍ୟବହାର କରୁଛନ୍ତି ଲୋକେ ।

ତେବେ ବସଷ୍ଟାଣ୍ଡର ଏ ଦୃଶ୍ୟ ଆପଣଙ୍କୁ ବର୍ଷସାରା ଦେଖିବାକୁ ମିଳିବ । ବର୍ଷାଦିନେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡୁଛି । ସାମାନ୍ୟ ବର୍ଷା ହେଲେ ବସରୁ ଓହ୍ଲାଇବା ମଧ୍ୟ କଷ୍ଟ ହେଉଛି । ଗୋଟିଏ ପଟେ ଜିଲ୍ଲାର ସର୍ବବୃହତ ପୁଷ୍କରଣୀ କୁସୁମାର ସୌନ୍ଦର୍ଯ୍ୟକରଣ ପାଇଁ ପୂରା ଦମରେ ଲାଗିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଜିଲ୍ଲାର ଜୀବନରେଖା କୁହାଯାଉଥିବା ବସଷ୍ଟାଣ୍ଡର ଏହି ଚିତ୍ରକୁ ଦେଖିଲେ ସମସ୍ତେ ସବୁକିଛି ବୁଝିଯାଉଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ଗୋଟିଏ ପଟେ ପୋଖରୀକୁ ଆକର୍ଷଣୀୟ କରାଯାଉଥିବା ବେଳେ ଅନ୍ୟପଟେ ଏକମାତ୍ର ବସଷ୍ଟାଣ୍ଡ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ପୌରପାଳିକାର ଦୃଷ୍ଟି ପଡୁନାହିଁ ।

ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ପ୍ରତ୍ୟେକ ଦିନ ଯା’ଆସ କରୁଥିବା ଯାତ୍ରୀଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଯାଉଛି । ଜିଲ୍ଲା ମହୋତ୍ସବ ସମୟରେ କିଛି ମହରମ ଓ ଡଷ୍ଟଗୁଣ୍ଡ ବସଷ୍ଟାଣ୍ଡ ମଧ୍ୟରେ ପକାଇ ଦେଇ ହାତବାନ୍ଧି ବସିରହିଛି ପ୍ରଶାସନ । ଆଉ ହଇରାଣ ହେଉଛନ୍ତି ଲୋକେ । ତେବେ ପ୍ରଶାସନର କେବେ ଦୃଷ୍ଟି ପଡିବ ବସଷ୍ଟାଣ୍ଡ ଉପରେ ଓ କେବେ ଏହାର ମରାମତି କାମ ଆରମ୍ଭ ହେବ ତାହାକୁ ଅପେକ୍ଷା ରହିଛି ।