ଏପ୍ରିଲ ଅଧା ହେଲାଣି ଏଯାଏଁ ମିଳିନି ମାର୍ଚ୍ଚ ମାସର ଦରମା ! ସର୍ଭର ଅଚଳ ଯୋଗୁଁ ୩.୫ ଲକ୍ଷ ପେନସନଭୋଗୀ ଓ ୪.୫ ଲକ୍ଷ ସରକାରୀ କର୍ମଚାରୀ ମାର୍ଚ୍ଚ ମାସର ଦରମାରୁ ବଞ୍ଚିତ

31

କନକ ବ୍ୟୁରୋ : ମାର୍ଚ୍ଚ ଶେଷ ହୋଇ ଏପ୍ରିଲ ଅଧା ହେଲାଣି । କିନ୍ତୁ ସରକାରୀ କର୍ମଚାରୀଙ୍କୁ ଏଯାଏଁ ମାର୍ଚ୍ଚ ମାସର ଦରମା ମିଳିନି । ଏଭଳି ସମସ୍ୟା ରାଜ୍ୟରେ ଏବେ ଦେଖାଦେଇଛି । ରାଜ୍ୟର ପ୍ରାୟ ୪.୫ ଲକ୍ଷ ସରକାରୀ କର୍ମଚାରୀ, ପ୍ରାୟ ୩.୫ ଲକ୍ଷ ପେନସନଭୋଗୀ ଦରମା ଏବଂ ପେନସନ ପାଇବାରୁ ବଞ୍ଚିତ।

ସାଧାରଣତଃ ମାସର ଶେଷ ତାରିଖ ବେଳକୁ ସରକାରୀ କର୍ମଚାରୀ, ପେନସନଭୋଗୀଙ୍କୁ ମାସକର ଦରମା ମିଳିଥାଏ। ଦରମା ତାରିଖ ଅତି ବେଶିରେ ପରବର୍ତୀ ମାସର ପ୍ରଥମ ସପ୍ତାହକୁ ଗଡ଼ିଯାଇଥାଏ। ଏଥର ମାତ୍ରାଧିକ ବିଳମ୍ବ ହୋଇଛି। ଏହାର କାରଣ ସଂପର୍କରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ବିଜୁଳି, ଘଡ଼ଘଡ଼ି ମାରିବା ଯୋଗୁଁ ଏଚଆରଏମଏସ୍ ଥିବା ସର୍ଭରଟି ଜଳିଯାଇଥିଲା। ଏହି ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଦରମା ସମ୍ବନ୍ଧୀୟ ଡାଟାବେସ୍ ରହିଥିଲା। ସେହି ଡାଟାବେସରୁ ତଥ୍ୟ ଟ୍ରେଜେରିକୁ ଗଲେ, କର୍ମଚାରୀଙ୍କୁ ଅନଲାଇନ ଯୋଗେ ଦରମା ମିଳିଥାଏ। ଅନ୍ୟପଟେ ଏଚଆରଏମଏସ୍ ସଫ୍ଟେଓ୍ଵରରେ ବୈଷୟିକ ତ୍ରୁଟି ଦେଖାଦେବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅର୍ଥ ବିଭାଗ ସୂତ୍ରରୁ ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଏଚଆରଏମଏସରୁ ଅନଲାଇନ ଯୋଗେ ତଥ୍ୟ ଆସିବା ପରେ ଦରମା ମିଳିଥାଏ। ମାନୁଆଲ୍ ବ୍ୟବସ୍ଥା ଆପାତତଃ ନାହିଁ। ଏଣୁ, ବୈଷୟିକ ତ୍ରୁଟି ସୁଧାରିବାକୁ ସମୟ ଲାଗୁଥିବାରୁ ଦରମା ମିଳିବାରେ ଏଥର ବିଳମ୍ବ ହେଉଛି। ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ମାର୍ଚ ମାସ ଶେଷ ଆଡ଼କୁ ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ବକେୟା ଦରମା କର୍ମଚାରୀମାନଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଦରମା ପାଇଁ ସେତେଟା ଉଦବେଗ ନାହିଁ। ଏହାର ସୁଯୋଗରେ ଏଚଆରଏମଏସ୍ ଡାଟାବେସରେ କର୍ମଚାରୀଙ୍କ ସଂଖ୍ୟା, ବିଭାଗ, ଦରମା ଆଦି ବିଭିନ୍ନ ତଥ୍ୟାବଳୀକୁ ଅପଡେଟ୍ କରାଯାଉଛି। ଫଳରେ ଆଗାମୀ ଦିନରେ ଦରମା ପ୍ରଦାନରେ କୌଣସି ସମସ୍ୟା ଉପୁଜିବ ନାହିଁ। ଏକାଥରକେ ଦରମା ଦେଇହେବ। ଏହାଛଡା ସରକାରଙ୍କ ଅଧୀନରେ କେତେସଂଖ୍ୟକ କର୍ମଚାରୀ କେଉଁ ବିଭାଗରେ ଅଛନ୍ତି ସେ ନେଇ ନିର୍ଭୁଲ ତଥ୍ୟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।