ସରକାରୀ ଚାକିରିଆ ବିଜେପିର ବିଧାୟକ ପ୍ରାର୍ଥୀ । ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ, ଡାକ୍ତର ବୁଧନ ମୁର୍ମୁଙ୍କ ବିରୋଧରେ ନିଆଯାଉ କଡା କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ : ସରକାରୀ ଚାକିରିଆ ବିଜେପି ପ୍ରାର୍ଥୀ । ଏଭଳି ସଙ୍ଗୀନ ଅଭିଯୋଗ ବିଜେପିର ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ବୁଧନ ମୁର୍ମୁଙ୍କ ନାଁରେ ଆଣିଛି ବିଜେଡି । ଏପରିକି ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡିର ଅଭିଯୋଗ ଅନୁଯାୟୀ, ବିଜେପିର ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ବୁଧନ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରଙ୍ଗମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରୀ ଚାକିରିରେ ଥିବା ସତ୍ତେ୍ୱ ମଧ୍ୟ ଏହି ବ୍ୟକ୍ତିଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ କରିଛି । କିନ୍ତୁ ନିୟମ ଅନୁଯାୟୀ, ସରକାରୀ ଚାକିରୀରେ ଥିବା କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ପ୍ରଥମେ ଚାକିରୀ ଛାଡିବାକୁ ହେବ । ଏପରିକି ପ୍ରାର୍ଥୀ ଘୋଷଣା ପୂର୍ବରୁ ଉକ୍ତ ବ୍ୟକ୍ତି ସରକାରୀ ଚାକିରୀ କରିଛନ୍ତି କି ନାହିଁ, ଚାକିରୀ କରିଥିଲେ ସରକାରୀ କାର୍ଯ୍ୟରୁ ରିଲିଭ୍ ହୋଇଛନ୍ତି ନା ନାହିଁ ସେସବୁ ଅନୁଧ୍ୟାନ କରି ସଂପୃକ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା କଥା ।
କିନ୍ତୁ ସାରସକଣା ନିର୍ବାଚନମଣ୍ଡଳୀରେ ଡାକ୍ତର ବୁଧନ ମୁର୍ମୁଙ୍କ ପ୍ରାର୍ଥୀତ୍ୱରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପରିକି ବୁଧନ ଚାକିରୀରେ ଥା ପ୍ରାର୍ଥୀ ହେବା ସହ ନିଜ ପାଇଁ ନିର୍ବାଚନ ପ୍ରଚାର ମଧ୍ୟ କରୁଛନ୍ତି । ଚାକିରିରେ ଥାଇ ପ୍ରାର୍ଥୀ ହେବା ଓ ଚାକିରୀରେ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଉଭୟ କ୍ଷେତ୍ରରେ ନିର୍ବାଚନ ଆଚରଣବିଧିର ସ୍ପଷ୍ଟ ଉଲ୍ଲଂଘନ ହେଉଛି । ତେଣୁ ଏହାକୁ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଛି ।