ଆସନ୍ତାକାଲି ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବ ଆନ୍ଧ୍ର : କୋଟିଆ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ବୈଠକ

କାଗଜପତ୍ର ଯୋଗାଡ କରୁଛି ଜିଲ୍ଲା ପ୍ରଶାସନ; ଓକିଲଙ୍କ ସହ ଆଲୋଚନା

56

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏନେଇ ତଥ୍ୟ ଯୋଗାଡରେ ଲାଗିପଡିଛନ୍ତି ରାଜ୍ୟ ସରକାର । କୋଟିଆର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ରାଜସ୍ୱ ବିଭାଗ ସଚିବ, ଅତିରିକ୍ତ ସଚିବ, ଆଇନ୍ ସଚିବ, ଜିଲ୍ଲାପାଳ ପ୍ରମୁଖ ଗୁଗୁଲମିଟ୍ ଜରିଆରେ କରିଛନ୍ତି ଆଲୋଚନା । ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ କୋର୍ଟ ଅବମାନନା ମାମଲା ରୁଜୁ କରିବା ପରେ କୋଟିଆ ସଂପର୍କରେ ୧୯ ତାରିଖରେ ଆବଶ୍ୟକ ଦଲିଲ ଦାଖଲ କରିବା ନେଇ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ କୋଟିଆ ସଂପର୍କିତ କାଗଜପତ୍ରଗୁଡିକ ଦେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ୧୯୬୮ ପରଠାରୁ ପଟାଙ୍ଗି ଓ କୋଟିଆ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ପ୍ରଶାସନ । ଆଜି ବିଧାନସଭା ଆରମ୍ଭ ହେଉଥିବା ବେଳେ ୧୯ ତାରିଖରେ ସୁପ୍ରିମକୋର୍ଟରେ ଆନ୍ଧ୍ର ତାହାର ଦଲିଲ ଉପସ୍ଥାପନ କରିବ। ରାଜ୍ୟ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ନିୟୋଜିତ ଥିବା ସରକାରଙ୍କ ଓକିଲଙ୍କୁ ସମସ୍ତ ତଥ୍ୟ ଦିଆଯାଇଥିବା କୁହାଯାଉଛି ।