ପରୀ, ମାହାଙ୍ଗା, ମମିତା,  ସରକାରଙ୍କୁ ବଦନାମ କରୁଛି ପୋଲିସର ଦାୟିତ୍ୱହୀନତା!

346

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ପ୍ରଥମରୁ ହିଁ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ପୋଲିସର ନିଷ୍କ୍ରିୟତା, ନୀରବତା ଓ ଉଦାସୀନତାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଯାହା ସରକାରଙ୍କୁ ଏବେ ବିରୋଧୀଙ୍କ ଟାର୍ଗେଟ ରାଡାରକୁ ଆଣିଛି । ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣରେ ସରକାରଙ୍କୁ ହରଡଘଣାରେ ପକାଉଛନ୍ତି ବିରୋଧୀ । ପୋଲିସର ଦାୟିତ୍ୱହୀନତା ଓ ଚରମ ଅବହେଳା ଏହା ପଛର ସବୁଠୁ ବଡ କାରଣ ବୋଲି କୁହାଯାଉଛି । କାରଣ ମମିତା ହତ୍ୟାକାଣ୍ଡ ମାମଲାରେ ପ୍ରାରମ୍ଭରୁ ପୋଲିସ ଯେଉଁଭଳି ଆଭିମୁଖ୍ୟ ଦେଖାଇଛି ତାହାର ପ୍ରତିଫଳନ ସରକାରଙ୍କ ପ୍ରତି ଜନଅସନ୍ତୋଷ ଭିତରେ ଦେଖିବାକୁ ମିଳିଛି ।

ମମିତା ହତ୍ୟାକାଣ୍ଡ ପୂରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଯାହାର ଝଲକ ମୟୁରଭଞ୍ଜରୁ ମହାଲିଙ୍ଗ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଏହି ଘଟଣା ସରକାରଙ୍କୁ ଯେତିକି ହରଡଘଣାରେ ପକାଇଛି, ପୋଲିସ ବିଭାଗକୁ ମଧ୍ୟ ସେତିକି ବିବାଦୀୟ କରିଛି । କାରଣ ମମିତା ନିଖୋଜ ହେବା ପରଠାରୁ ଏବେ ପର୍ଯ୍ୟନ୍ତ ପୋଲିସର କାର୍ଯ୍ୟଶୈଳୀ ସରକାରଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତିକୁ ଅନେକମାତ୍ରାରେ ମଳିନ କରିଛି । ଗତ ୮ ତାରିଖରେ ମମିତା ନିଖୋଜ ହୋଇଥିଲେ ପରେ ୯ ତାରିଖରେ ପରିବାର ଲୋକ କେ.ଗାଁ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ମମିତାଙ୍କୁ ବଲାଙ୍ଗୀର ଫେରାଇ ଦେଇଥିଲା । କିନ୍ତୁ ଯେଉଁଠି ପୋଲିସ ଅଭିଯୋଗ ରଖିଲା ନାହିଁ ସେଠାରେ ତଦନ୍ତ ଆଶା କରିବା ବୃଥା ।

କୁହାଯାଉଛି ଗୋବିନ୍ଦଙ୍କ ଇଙ୍ଗିତରେ ପୋଲିସ ମମିତାଙ୍କ ପରିବାରକୁ ଫେରାଇ ଦେଇଥିଲା । ପରେ ବଲାଙ୍ଗୀରରେ ଅଭିଯୋଗ ହେବା ପରେ ପୋଲିସ ଗୋବିନ୍ଦଙ୍କୁ ଉଠାଇ ଆଣିଥିଲା ସତ କିନ୍ତୁ କୋର୍ଟ ଚାଲାଣ କରିବାକୁ ଯେମିତି ସାହସ  ଜୁଟାଇ ପାରିନଥିଲା । ୩ ଦିନ ଥାନାରେ ଗୋବିନ୍ଦଙ୍କୁ ଅଟକ ରଖିବା ଓ ଏକ ନିର୍ଦ୍ଦିଷ୍ଟ ସମୟରେ ବିଜୁଳି କାଟ ହେବା ପରେ ଥାନାରେ ଗୋବିନ୍ଦ ଫେରାର ହୋଇଯିବା ପୋଲିସର ଭୂମିକା ଉପରେ ପ୍ରଶ୍ନର ପାହାଡ ଛିଡା କରିଥିଲା । ଆଉ ଏହାକୁ ନେଇ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଥିଲେ ବିରୋଧୀ । କିଭଳି ପୋଲିସ ବାରାକରୁ ଗୋବିନ୍ଦ ଫେରାର ହେଲା ସେହି ପ୍ରଶ୍ନବାଣ ସରକାରଙ୍କୁ ଘାଇଲା କଲା? ପରେ ଅବଶ୍ୟ କାର୍ଯ୍ୟରେ ଅବହେଳା ପାଇଁ କେ.ଗାଁ ଥାନା ଅଧିକାରୀ ଓ ଅନ୍ୟ କିଛି ତଳିଆ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ଏଭଳି କରି ବଡ ପୋଲିସ ଅଧିକାରୀଙ୍କ ଭୂମିକା ଉପରେ ସମ୍ପୂର୍ଣ୍ଣ ଚାଦର ଢାଙ୍କି ଦିଆଯାଇଥିବା କୁହାଯାଉଛି । ହୁଏତ ଆରମ୍ଭରୁ ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ତଦନ୍ତ କରିଥିଲେ ସରକାରଙ୍କୁ ବିରୋଧୀଙ୍କ ଠାରୁ ଏଭଳି ସମାଲୋଚିତ ହେବାକୁ ପଡିନଥାନ୍ତା ।

କେବଳ ମହାଲିଙ୍ଗ ନୁହେଁ ଗତ ବର୍ଷକ ମଧ୍ୟରେ ଏଭଳି ଅନେକ ହାଇପ୍ରୋଫାଇଲ ମାମଲାରେ ପୋଲିସର ଦାୟିତ୍ୱହୀନତା ସରକାରଙ୍କ ପାଇଁ ସଙ୍କଟ ଛିଡା କରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଯେଉଁଭଳି ପ୍ରଥମରୁ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଲା ତାହା ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ବଡ ସୁଯୋଗ ଦେଇଥିଲା । ଏପରିକି ଏହି ମାମଲାରେ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲେ ମଧ୍ୟ ଚାର୍ଜସିଟ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁ ଆଶ୍ଚର୍ଯ୍ୟଜନକ ଭାବେ କାଟି ଦିଆଯାଇଥିଲା । ସେତେବେଳେ ଏହି ମାମଲାରେ ପ୍ରତାପଙ୍କ ଇସ୍ତଫା ଦାବି କରିବା ସହ ସରକାରଙ୍କୁ ଘେରିଥିଲେ ବିରୋଧୀ । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପୋଲିସ ପରଦା ଉଠାଇନଥିବା ବେଳେ ପୁଣିଥରେ ଚାର୍ଜସିଟରେ ନାଁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ଆଉ ପୋଲିସର ଏଭଳି କାର୍ଯ୍ୟଶୈଳୀ ଅନେକ ସନ୍ଦେହ ସୃଷ୍ଟି କରିଥିଲା ।

ସେହିଭଳି ନୟାଗଡର ବହୁଚର୍ଚ୍ଚିତ ପରୀ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମଧ୍ୟ ପୋଲିସର ନିଷ୍କ୍ରିୟତା ସରକାରଙ୍କୁ କାଠଗଡାକୁ ଟାଣିଥିଲା । ପରୀ ଅପହରଣ ଘଟଣାକୁ ପୋଲିସ ଅତି ହାଲୁକାରେ ନେବା ସହ ସରକାରୀ ନାଲି ଫିତା ତଳେ ତଦନ୍ତ ପ୍ରକ୍ରିୟାକୁ ଚାପି ରଖିଥିଲା । ସେତେବେଳେ ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ପରୀର ବାପା-ମା’ । ଯେଉଁଥିପାଇଁ ପୋଲିସ ତଦନ୍ତ ଆଗକୁ ବଢାଇବାକୁ ପଛଘୁଞ୍ଚା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ମାମଲା ରୁଜୁ ହେବାର ୩ ମାସ ପରେ ନ୍ୟାୟ ନପାଇ ନିରାଶ ହୋଇ ଯେତେବେଳେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମହୁତି ଦେବାକୁ ଉଦ୍ୟମ କଲେ ସେତେବେଳେ ପୋଲିସର ଚେତା ପଶିଥିଲା ।  ପରୀ ଗାଁରେ ପୋଲିସ ପହଞ୍ଚିଥିଲା, ଏସଆଇଟି ତଦନ୍ତ ଆରମ୍ଭ ହୋଇଥିଲା , ଆଉ ଦିନ କେଇଟା ଭିତରେ ଗାଁର ଜଣେ ଛାତ୍ରଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତଦନ୍ତରେ ସନ୍ତୁଷ୍ଟ ନଥିଲେ ପରୀର ପରିବାର ଲୋକେ । ପ୍ରଭାବଶାଳୀ ନେତାଙ୍କ ଚାପରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଇବା ସହ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ବିରୋଧୀ ଅଭିଯୋଗ କଲେ । ଏହି ଘଟଣା ସେତେବେଳେ ସରକାରଙ୍କ ନିଦ ହଜାଇ ଦେଇଥିଲା । ତେବେ ପୋଲିସର ଏଭଳି ଦାୟିତ୍ୱହୀନତା ପାଇଁ  ସାରା ରାଜ୍ୟରେ ସଡକରୁ ସୋସିଆଲ ମିଡ଼ିଆରେ ସରକାରଙ୍କ ବିରୋଧରେ ସ୍ୱର ଉଠିଥିଲା । ଅଭିଯୋଗ ହେବାର ପ୍ରଥମ ଦିନରେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଥିଲେ ହୁଏତ ସରକାରଙ୍କୁ ଏଭଳି ଲୋକହସା ହେବାକୁ ପଡିନଥାନ୍ତା । ଆଉ ରାଜଧାନୀରୁ ରାଜରାସ୍ତା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।

ଗୋଟିଏ ପରେ ଗୋଟିଏ ହାଇପ୍ରୋଫାଇଲ ଘଟଣାରେ ପୋଲିସ ମନମୁଖୀ ଆଭିମୁଖ୍ୟ ଆପଣାଉଛି । ତଦନ୍ତକୁ ବାଟବଣା କରୁଥିବାର ଅନେକ ନଜିର ଆସୁଛି । ୫ଟି ଅଧୀନରେ ଆସୁଥିଲେ ମଧ୍ୟ ପୋଲିସ ଚିତ୍ର ଓ ଚରିତ୍ର ବଦଳୁନାହିଁ । କେତେବେଳେ ପୋଲିସର ହାକିମାତି ତ ପୁଣି କେତେବେଳେ ନିଷ୍କ୍ର୍ରିୟତା ଦେଖିବାକୁ ମିଳୁଛି । କିନ୍ତୁ ପରୀ, ମାହାଙ୍ଗା ଓ ମମିତା ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ପୋଲିସର ଦାୟିତ୍ୱହୀନତା ପାଇଁ କେବଳ ନିଲମ୍ବନର ଟ୍ୟାଗ ମାରି ବସିପଡୁଛି ବିଭାଗ । ଯେଉଁଥିପାଇଁ ପୋଲିସକୁ ସହଜରେ ଭରସା କରିପାରୁନାହାନ୍ତି ଲୋକେ । ଆଉ ପୋଲିସକୁ ନେଇ ଲୋକଙ୍କ ମନରେ ଏଭଳି ଭାବନା ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି କରୁଛି । ତେଣୁ ଦାୟିତ୍ୱହୀନ ପୋଲିସଙ୍କ ଉପରେ ଏମିତି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା  ଓ ବିଶ୍ୱାସ ବଢିବ ଓ ଅପରାଧୀଙ୍କୁ ଭୟ ଘାରିବ ।