କନକ ବ୍ୟୁରୋ: ଜେଇଇ ଓ ନିଟ୍ ପାଇଁ ଏବେ ଅନଲାଇନରେ ପଢ଼ିବେ ସରକାରୀ କଲେଜର ପିଲା । ଆଉ ଏହି ଅନଲାଇନ୍ କ୍ଲାସ ମଧ୍ୟ ଆରମ୍ଭ ହୋଇଛି । ପ୍ରତିଦିନ ସକାଳ ୮.୩୦ ରୁ ୧୦ ଓ ମଧ୍ୟାହ୍ନ ୨ରୁ ୪ଟା ପର୍ଯ୍ୟନ୍ତ ଏହି କ୍ଲାସ ୨ଟି ପର୍ଯ୍ୟାୟରେ ହେବ ।
ରବିବାର ଆଉ ସରକାରୀ ଛୁଟିକୁ ଛାଡ଼ିଲେ ସବୁଦିନ ଅନଲାଇନ୍ ବା ଜୁମ୍ରେ ପାଠ ପଢିବେ ବିଦ୍ୟାର୍ଥୀ । ଅନଲାଇନ୍ କ୍ଲାସ ପାଇଁ କୌଣସି ଆବେଦନର ଆବଶ୍ୟକତା ନାହିଁ । ସମସ୍ତ ସରକାରୀ କଲେଜ୍ର ବିଜ୍ଞାନ ବିଭାଗର ବିଦ୍ୟାର୍ଥୀ ନିଜ ଅଧ୍ୟକ୍ଷଙ୍କ ଜରିଆରେ ଏହି କ୍ଲାସରେ ଯୋଗ ଦେଇପାରିବେ । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଭିତିଭୂମି ନଥିଲେ ସରକାରୀ ପାଣ୍ଠି ଯୋଗେ ତାହାକୁ ସୁଧାର କରାଯିବ । ପିଲାଙ୍କ ଭବିଷ୍ୟତ ଗଢ଼ିବା କ୍ଷେତ୍ରରେ ଏହା ବହୁ ଉପଯୋଗୀ ହେବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ।
ସେପଟେ ନବରଙ୍ଗପୁର ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ମଧ୍ୟ ଏହି ଅନଲାଇନ୍ କ୍ଲାସ ଆରମ୍ଭ ହୋଇଛି । ନବରଙ୍ଗପୁର ଭଳି ଉପାନ୍ତ ଅଂଚଳର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ନିଟ୍ ଏବଂ ଜେଇଇ ଅନ୍ଲାଇନ୍ କୋଚିଂ ନେଇ ପ୍ରବଳ ଆଗ୍ରହ ଦେଖାଦେଇଛି । ଏନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ନିଟ୍ ଏବଂ ଜେଇଇ ପଢିବା ନେଇ ନିଟ୍ ସମ୍ପୂର୍ଣ୍ଣ ଭର୍ଚୁୁଆଲ ମୋଡ୍ରେ ଦିଆଯିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।