ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ସରକାର ବଦଳାଇଲେ ନିୟମ । ଆଉ ଯିବାକୁ ପଡିବନି RTO ଅଫିସ୍

1,663

କନକ ବ୍ୟୁରୋ:ଯଦି ଆପଣ ନୂଆ କରି ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଚାହୁଁଛନ୍ତି କିମ୍ବା ରିନ୍ୟୁ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାର ନିୟମରେ ପରିବର୍ତ୍ତନ କରାଯାଇଛି ଯାହା ସାଧାରଣ ଲୋକଙ୍କୁ ବେଶ ସୁହାଇବ ବୋଲି ଆଶା କରାଯାଉଛି ।

ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଆଉ ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଙ୍ଗ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ସହଜ ହୋଇଛି । ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ ବର୍ତ୍ତମାନ ଆପଣଙ୍କୁ ଆରଟିଓ ଅଫିସ୍ ଯାଇ କୌଣସି ପ୍ରକାରର ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ ନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିୟମ ଜୁଲାଇ ୧ ତାରିଖରୁ ଲାଗୁ ହେବ ।

ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଏଣିକି ଆରଟିଓରେ ଟେଷ୍ଟ ଦେବାକୁ ପଡିବନି । ଆପଣ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସ୍କୁଲରେ ଡିଏଲ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ । ଏଠାରୁ ଟ୍ରେନିଙ୍ଗ ନେବା ପରେ ଆପଣଙ୍କୁ ସେଠାରେ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ଟ୍ରେନିଙ୍ଗ ସ୍କୁଲ ସାର୍ଟିଫିକେଟ ଦେବ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡିଏଲ ହେବ ।

ଟ୍ରେନିଙ୍ଗ ସେଣ୍ଟର ପାଇଁ ଗାଇଡଲାଇନ୍

ଦୁଇ ଚକିଆ ତିନି ଚକିଆ ଯାନ ଏବଂ ହାଲୁକା ମୋଟର ଯାନ ପାଇଁ ଟ୍ରେନିଙ୍ଗ ସେଣ୍ଟର ପାଖରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରୀ ଯାତ୍ରୀବାହୀ, ମାଲବାହୀ କିମ୍ବା ଟ୍ରଲର ପାଇଁ ଟ୍ରେନିଙ୍ଗ ସେଣ୍ଟର ନିକଟରେ ଅତି କମରେ ଦୁଇ ଏକର ଜମି ଥିବା ଆବଶ୍ୟକ ।

ଟ୍ରେନର ଅତି କମରେ ଦ୍ୱାଦଶ ପାସ୍ କରିଥିବେ । ଏହାସହ ତାଙ୍କ ପାଖରେ ଅତି କମରେ ୫ ବର୍ଷ ଡ୍ରାଇଭିଙ୍ଗ ଅଭିଜ୍ଞତା ଥିବା ଆବଶ୍ୟକ ।

ଡ୍ରାଇଭିଙ୍ଗ ସେଣ୍ଟର ଗୁଡିକର ସିଲାବସ୍ ଥିଓରୀ ଓ ପ୍ରାକ୍ଟିକାଲ ୨ ଭାଗରେ ବିଭକ୍ତ କରାଯାଇଛି ।

ଟ୍ରେନିଙ୍ଗ ସେଣ୍ଟରରେ ବାୟୋମେଟ୍ରିକ ସିଷ୍ଟମ ରହିବା ଆବଶ୍ୟକ ।

ମଧ୍ୟମ ଏବଂ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ କୋର୍ସର ଅବଧି ରହିଛି । ସେଠାରେ ୮ ଘଣ୍ଟା ଥିଓରୀ କ୍ଲାସ୍ ଓ ଅବଶିଷ୍ଟ ୩୧ ଘଣ୍ଟାର ପ୍ରାକ୍ଟିକାଲ ହେବ ।
ଏହି ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୱେଟି ଲିଷ୍ଟରେ ରହୁଥିବା ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିବ ।