ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଘରୋଇ ସ୍କୁଲକୁ ମାସକର ସ୍କୁଲ ଫି’ ଛାଡ କରିବାକୁ ଏସଆରସିଙ୍କ ଆହ୍ୱାନ । ଜାଣନ୍ତୁ ତାଲିକାରେ କେଉଁ ୫ ଜିଲ୍ଲା ରହିଛି ।

1,603

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୫ଟି ଜିଲ୍ଲାରେ ସ୍କୁଲ ଫି ଛାଡ କରିବାକୁ ଉଭୟ ଇଂରାଜୀ ଓ ଓଡିଆ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ବାତ୍ୟା ପ୍ରଭାବିତ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡାରେ ଥିବା ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମାସକର ସ୍କୁଲ ଫି ଛାଡ କରିବାକୁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ବାତ୍ୟା ଫୋନି ପ୍ରଭାବରେ ପ୍ରାୟ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା । ତେବେ ୧୪ଟି ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଳାରେ ଧ୍ୱଂସର ତାଣ୍ଡବ ରଚିଥିଲା ଫୋନି । ଲକ୍ଷ ଲକ୍ଷ ଚାଳଛପର ଘର ଭାଙ୍ଗି ଯାଇଥିବା ବେଳେ ପକ୍କା ଘର ଗୁଡିକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କର ଚଳିବା ଦୁଃର୍ବିସହ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟ ଉପକରଣ ଯେପରିକି ବହି ,ଖାତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ ସରକାର ମଧ୍ୟ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢାଇଛି ।

ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ସବୁଠି ସ୍କୁଲ ଫି ଓ ପରୀକ୍ଷା ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏପରିକି ଆଂଶିକ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ହଳ ସ୍କୁଲ ୟୁନିଫର୍ମ ଦେବାକୁ ନିଷ୍ପତି ନେଇଛନ୍ତି । ଏପରିକି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ଗୋଟିଏ ହଳ ୟୁନିଫର୍ମ ଦେବାକୁ ନିଷ୍ପତି ନେଇଛନ୍ତି । ଆଉ ଏସବୁ ଭିତରେ ଓଡିଶା ଅଭିଭାବକ ମହାସଂଘ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଥିବା ଘରୋଇ ଓଡିଆ ଓ ଇଂରାଜୀ ମିଡିୟମ ସ୍କୁଲ ଗୁଡିକ କିଭଳି ସ୍କୁଲ ଫି ଛାଡ କରିବେ ସେ ଦିଗରେ ହସ୍ତକ୍ଷେପ କରିବାକୁ ରିଲିଫ୍ କମିଶନରଙ୍କୁ ଅନୁରୋଧ କରିଥିଲେ । ଆଉ ଅଭିଭାବକ ସଂଘର ଅନୁରୋଧ ପରେ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ମାସର ସ୍କୁଲ ଫି ଛାଡ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆହ୍ୱାନ କରିଛନ୍ତି ।