କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ : ବ୍ରିଟେନରୁ ସବୁ ବିମାନ ରଦ୍ଦ କଲା ବେଲଜିୟମ ଓ ନେଦରଲ୍ୟାଣ୍ଡ; ସେପଟେ,ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସତର୍କ ଅଛନ୍ତି ସରକାର, ଭୟଭୀତ ହୁଅନ୍ତୁ ନାହିଁ

ସେପଟେ ସାଉଦି ଆରବ ସବୁ ଅନ୍ତର୍ଜାତୀୟ ବିମାନକୁ କଲା ରଦ୍ଦ

326

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି କରୋନାର ଭୟ ଦେଖାଦେଇଛି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି ।

କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି । ଆଜି କାନାଡା ବି ବ୍ରିଟେନକୁ ଯିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦେଇଛି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଭାରତ ପାଇଁ ମଧ୍ୟ ଏହାର ଚିନ୍ତାର କାରଣ ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସାମ୍ବାଦିକ ବାରମ୍ବାର ଏନେଇ ପ୍ରଶ୍ନ କରିବାରୁ ହର୍ଷବର୍ଦ୍ଧନ କହିଥିଲେ, ସରକାର ସଂପୂର୍ଣ୍ଣ ଭାବେ ସତର୍କ ଅଛନ୍ତି । ଏବଂ ସମସ୍ତ ପରିସ୍ଥିତିକୁ ନଜରରେ ରଖିଛନ୍ତି । ନୂଆ ଷ୍ଟ୍ରେନକୁ ନେଇ ଅଧିକ କଳ୍ପନା ନକରିବାକୁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଗତ ବର୍ଷେ ଧରି କରୋନା ଭୂତାଣୁର ମୁକାବିଲା ସରକାର ଠିକ ଭାବେ କରିଆସୁଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ବ୍ରିିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଏକ ସୁପର-ସ୍ପ୍ରେଡର । ବ୍ରିଟେନରୁ ସମସ୍ତ ବିମାନ ବନ୍ଦ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ଅପେକ୍ଷା ୭୦ ଗୁଣ ଅଧିକ ବେଗରେ ବ୍ୟାପି ପାରିବ ବୋଲି ଜଣାପଡିଛି ।