କନକ ବ୍ୟୁରୋ : ପ୍ରଶାସନ ବିରୋଧରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ବିଜୟ ହୋଇଛି । ଡେରାସ ଅଂଚଳରେ କେନାଲ ପୋତାଯାଇଥିବା ମାନିଛନ୍ତି ରାଜ୍ୟ ସରକାର । କେନାଲ ପୁନରୁଦ୍ଧାର ପାଇଁ ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେବା ପରେ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ପହଂଚି ଯାଂଚ କରିଛନ୍ତି । ଗତ ୨ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଂଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । ଯଥାଶୀଘ୍ର ଜବରଦଖଲ ଉଚ୍ଛେଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଗୁରୁତର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ଡେରାସରେ ଥିବା କେନାଲର ମୁଖ୍ୟ ବାମ କେନାଲକୁ ଗତ ୨ ବର୍ଷ ଧରି ଅବରୋଧ କରି ରଖାଯାଇଥିଲା । କିଛି ଜବରଦଖଲକାରୀ ଏହାକୁ ଅବରୋଧ କରି ରଖିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି । ତେଣୁ ଏହି ଅବରୋଧକୁ ହଟାଇ ଶେଷ ପର୍ଯ୍ୟନ୍ତ ଯେମିତି ପାଣି ପହଂଚିପାରିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନାଲକୁ ଜବରଦଖଲ କରୁଥିବା ଜମିକୁ ଚିହ୍ନଟ କରିବା ପାଇଁ ମଧ୍ୟ ଚିଠିରେ କୁହାଯାଇଛି   ।

Advertisment