କନକ ବ୍ୟୁରୋ : ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ । ବାହାରିଛି ଲମ୍ବା ଲାଇନ୍, ଜାମ ହୋଇଛି ରାଜଧାନୀର ରାସ୍ତା । ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ସେମାନଙ୍କ ଦାବି ହେଉଛି, ରାସ୍ତାରେ ଏବେ ଡ୍ରାଇଭରମାନେ ପୂରା ଅସୁରକ୍ଷିତ । ଯିଏ ଯେତେବେଳେ ଚାନ୍ଦା ମାଗିଲା ନ ଦେଲେ କିଏ ହାତ କାଟି ଦେଉଛି, ତ କିଏ ମାରିଦେଉଛି । ଡ୍ରାଇଭରର ଭୁଲ ଥାଉ ବା ନଥାଉ ପବ୍ଲିକ୍ ସଙ୍ଗେ ସଙ୍ଗେ ହାତ ଉଠାଇ ଦେଉଛନ୍ତି । ଆମକୁ ସୁରକ୍ଷା ଦରକାର । ତେଣୁ ଆମର ଦାବି ହେଉଛି , ଯଦି ରନିଂ ସମୟରେ ଗୋଟେ ଲୋକ ଡ୍ରାଇଭରକୁ ମାରପିଟ କରୁଛି, ତାଙ୍କୁ ତିନି ମାସ ଜେଲ୍ ଏବଂ ୫୦ହଜାର ଟଙ୍କା ଜୋରିମାନା ହୁଅନ୍ତା ତାହାଲେ ଆଗାମୀ ଦିନରେ କେହି ଡ୍ରାଇଭର ଉପରକୁ ହାତ ଲଗାଇବାକୁ ସାହସ କରନ୍ତେନି ।
ଅନ୍ୟପକ୍ଷରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ଦିଗରେ ପୋଲିସ ପାଇଁ ମଧ୍ୟ କଷ୍ଟକର ହୋଇପଡିଛି । ପୋଲିସ ସେମାନଙ୍କୁ ଅଟକାଇକୁ ଚେଷ୍ଟା କରୁଛି । କିନ୍ତୁ ଡ୍ରାଇଭର ସଂଘର କହିବା କଥା ହେଲା, ନବୀନ ନିବାସ ଯିବୁ ଯଦି ସମେସ୍ତେ ଯିବୁ । ଆମ ଦାବି ଜଣାଇବୁ । ଏଥିରେ ପୋଲିସ ଆମକୁ ବାଧା ଦିଏ କିମ୍ବା ଉଠାଇ ନିଏ ତାହାଲେ ଜେଲ୍ ଯିବୁ ଯଦି ସମସ୍ତେ ଜେଲ ଯିବୁ । ଜେଲରେ କେତେ ଜାଗା ଅଛି ଆମେ ବି ଦେଖିବୁ । ଏପରି କହି ଆକ୍ରୋଶ ପ୍ରକାଶ କରିଛନ୍ତି ଓଡିଶା ଡ୍ରାଇଭର ସଂଘ । ସେମାନଙ୍କ କହିବା କଥା ଯଦି ଗୋଟିଏ ଡ୍ରାଇଭରର ଦୁର୍ଘଟଣାରେ ମୃତ୍ୟୁ ହେଉଛି ସେମାନଙ୍କ ପାଇଁ କୌଣସି ଇନସୁରାନ୍ସର ବ୍ୟବସ୍ଥା ନାହିଁ । ସେଥିପାଇଁ ପ୍ରତ୍ୟେକ ଲାଇସେନ୍ସ ଉପରେ ଇନସୁରାନ୍ସର ବ୍ୟବସ୍ଥା ରହୁ । ଡ୍ରାଇଭରର ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ସହାୟତା ମିଳିପାରିବ ।
କରୋନା କାଳରେ ଡ୍ରାଇଭରମାନଙ୍କୁ ସରକାରୀ ସ୍ତରରୁ କୌଣସି ସୁବିଧା ମିଳିପାରି ନାହିଁ । ନା ମାସ୍କ ମିଳିଲା, ନା କୋଭିଡ୍ ଯୋଦ୍ଧା ଘୋଷଣା କରାଗଲା । କିଛି ବସ୍ , ଅଟୋ ଡ୍ରାଇଭର ବସିକି ରହିଲେ । ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡିଲା । ଏତେ ଦାବି କଲା ପରେ ମଧ୍ୟ ଡ୍ରାଇଭର ସଂଘକୁ କୌଣସି ଉତ୍ତର ମିଳିପାରିଲାନି । ୧୦ ଦଫା ଦାବି ଦିଆଯାଇଥିଲା ଯାହା ୧୧ ଦଫା ହୋଇଗଲାଣି । ପଦଯାତ୍ରାରେ ରାଜ୍ୟର ୩୦ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଛନ୍ତି । ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଧ ହେବା ନିୟମକୁ ପରିବର୍ତନ କରିବାକୁ ଦାବି କରିଛି ମହାସଂଘ ।
ଏହା ସହ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି । ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବିରେ ଏହି ପଦ ଯାତ୍ରା କରୁଛି ମହାସଂଘ । ଏପରିକି ୫୫ବର୍ଷ ପୂରିଗଲେ ପେନସନ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲା ମହାସଂଘ । ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଦାବି ପୂରଣ ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।
ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ରାଜଧାନୀର ରାସ୍ତା ଜାମ୍ । ବହୁ ସଂଖ୍ୟାରେ ଡ୍ରାଇଭର ପଦଯାତ୍ରା କରିବା ଯୋଗୁଁ ରାସ୍ତାଘାଟ ଜାମ ହୋଇଯାଇଥିଲା । ବିଶେଷକରି ଅଫିସ ଯିବାର ସମୟ ହୋଇଥିବାରୁ ଭିଡ ଅଧିକ ହୋଇଥିଲା । ଯେଉଁମାନେ ଘରୁ ବାହାରି ଆସିଥିଲେ, ସେମାନେ ବାଟରେ ଫସି ଯାଇଥିଲେ । ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଥିଲେ । ରାସ୍ତାରେ ଅଟକି ରହିଥିଲା ହଜାର ହଜାର ଗାଡି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସକୁ ନାକେ ଦମ ହେବାକୁ ପଡିଛି ।