ମମିତାଙ୍କୁ ହତ୍ୟା ପରେ ମିଛ ନାଟକ ରଚିଥିଲା ଗୋବିନ୍ଦ । ମମିତାଙ୍କ ବାପାଙ୍କୁ ଏତଲା ଦେବାକୁ କହି, ଥାନା ବାବୁଙ୍କ ସହ କରିଥିଲା ଡିଲ୍ ।

344

କନକ ବ୍ୟୁରୋ: ଝିଅକୁ ମାରିବା ପରେ ମମିତାଙ୍କ ବାପାଙ୍କୁ ମାୟାଜାଲରେ ଛନ୍ଦିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମର୍ଡର କରିବା ପରେ ମିସିଂ ରିପୋର୍ଟ ଲେଖିିଥିଲା ଗୋବିନ୍ଦ । ଆଉ ମମିତାଙ୍କ ବାପାଙ୍କୁ ଡାକି ନିଜ କର୍ମଚାରୀଙ୍କ ଜରିଆରେ ଲେଖାଇଥିଲା ନିଖୋଜ ଏତଲା । ଏପଟେ ଏତଲା ଦେବା ପାଇଁ ଥାନାକୁ ପଠାଇ, ସେପଟେ ଏତଲା ନରଖିବାକୁ ଥାନାବାବୁଙ୍କ ସହ ଡିଲ୍ କରିଥିଲା ଅଭିଯୁକ୍ତ । ମମିତାଙ୍କର ହତ୍ୟା କରିବା ସହ ଚଞ୍ଚକତାର ସବୁ ସୀମା ଟପି ଯାଇଥିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରିବା ପରେ ପରିବାର ଲୋକଙ୍କ ସହ ମମିତାଙ୍କୁ ଖୋଜିଥିଲା, ଏପରିକି ନିଖୋଜ ହେବା ନେଇ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲା ଗୋବିନ୍ଦ ।

ମମିତା ନିଖୋଜ ହୋଇଯିବା ପରେ ପରିବାର ଲୋକ ଯେତେବେଳେ ଗୋବିନ୍ଦଙ୍କୁ ଯୋଗାଯୋଗ କରିଥିଲେ, ଅଭିନୟର ସୀମା ଟପି ଯାଇଥିଲା ଏହି ଜହ୍ଲାଦ । ମମିତାଙ୍କ ବାପାଙ୍କୁ ମହାଲିଙ୍ଗ କଲେଜକୁ ଡାକିଥିଲା, ଥାନାରେ ଅଭିଯୋଗ କରିବା ପାଇଁ ଏତଲାରେ କ’ଣ ଲେଖାଯିବ ନିଜେ ଗୋବିନ୍ଦ ଡାକିଥିଲା ତା’ର ଜଣେ କର୍ମଚାରୀଙ୍କୁ । ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଗୋବିନ୍ଦ ରଚିଥିଲା ଏଭଳି ନାଟକ ।

ଏତଲା ଲେଖା ହେବା ପରେ କେ.ଗାଁ ଥାନାରେ ପହଁଚିଥିଲେ ପରିବାର ଲୋକ । ହେଲେ ତା’ର ୧୦ ମିନିଟ୍ ପୂର୍ବରୁ ଥାନାରେ ପହଁଚି ଥାନାବାବୁଙ୍କ ସହ ଡିଲ୍ କରି ସାରିଥିଲା ଗୋବିନ୍ଦ । ଫଳରେ ଏତଲା ରଖିନଥିଲେ ଥାନାବାବୁ । ଏ ଥାନାରୁ ସେ ଥାନା ବୁଲି ବୁଲି ଶେଷରେ ସିନ୍ଧକେଲା ଥାନାରେ ଝିଅ ନିଖୋଜର ଏତଲା ଦେଇଥିଲେ ମମିତାଙ୍କ ବାପା ସୁଚନ୍ଦ୍ର । ତେବେ ଗୋବିନ୍ଦଙ୍କ ଏହି ଚାଲକୁ ସେଦିନ ବୁଝି ପାରିନଥିଲେ ମମିତାଙ୍କ ବାପା । ସେ କେବେ ବି ଜାଣି ପାରି ନ ଥିଲେ ଯେ ଝିଅର ହତ୍ୟାକାରୀ ତାଙ୍କ ଆଗରେ ବସି ମିଛ ନାଟକ କରୁଛି । ଅଭିନୟର ମାୟାଜାଲରେ ତାଙ୍କୁ ଭୁଲାଇବାକୁ ପ୍ରୟାସ କରୁଛି ।