କନକ ବ୍ୟୁରୋ: ବଜେଟ୍ ଅଧିବେଶନ ଅଭିଭାଷଣରେ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ ଗଣେଶୀ ଲାଲ୍ । ମହାମାରୀରୁ ମାଓ ମୁକାବିଲା ଯାଏଁ କେମିତି କାର୍ଯ୍ୟପନ୍ଥା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ । ମୋ ସରକାର କୋଭିଡ ମହାମାରୀ ଯୋଗୁଁ ୨୦୨୦ ଅପ୍ରେଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନ ସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ୍ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଗ୍ୟ ସନ୍ତାନସନ୍ତତି ଏବଂ ସେମାନଙ୍କ ଯନ୍ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି । ୧୮,୮୨୭ ଜଣ ବାଳକବାଳିକା ଏହି ଯୋଜନାର ସୁବିଧା ପାଇଛନ୍ତି ।
ବିଗତ ପାଞ୍ଚବର୍ଷ ଭିତରେ ମାଓବାଦୀ ବା ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି । ମୋ ସରକାର ଓ ସୁରକ୍ଷା ବାହିନୀଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ରେ ପହଞ୍ଚିଛି । ପୋଲିସ ପଦକ୍ଷେପ ଯୋଗୁଁ ପାଖାପାଖୁ ୫୮ ଜଣ ମାଓବାଦୀ ପ୍ରଭାବହୀନ ହୋଇଛନ୍ତି, ୧୯୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେହି ସମୟରେ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରିର ‘ସ୍ଵାଭିମାନ ଅଞ୍ଚଳ’ର ସଂପୂର୍ଣ୍ଣ ପରିବର୍ତ୍ତିତ ବାତାବରଣ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଶମନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଣାମ ଅଟେ ।