କନକ ବ୍ୟୁରୋ: କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଲା ବେଳେ ଜୟ ଜଗନ୍ନାଥ କହିବା ସହ ଓଡିଆରେ ଭାଷଣ ଆରମ୍ଭ କଲେ ରାଜ୍ୟପାଳ । କହିଲେ ଓଡିଶା ନିର୍ମାଣ କନକ୍ଲେଭ ଉଦଘାଟନ କରି ମୁଁ ବହୁତ ଖୁସି । ମୁଁ ଓଡିଶା ପ୍ରତି ସବୁବେଳେ ଆକର୍ଷିତ । ମୁଁ ସର୍ବଦା ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସିଛି । ଜଗନ୍ନାଥ ସଂସ୍କୃତି ମତେ ପ୍ରଭାବିତ କରିଛି । କଳିଙ୍ଗ, ଉକ୍ରଳର କଳା ସଂସ୍କୃତି ସର୍ବପୁରାତନ । ଓଡିଶାର ଅତୀତ ସମୃଦ୍ଧ ଓ ଗୌରବମୟ ଅଟେ ।

Advertisment

ବର୍ତ୍ତମାନ ସମୟରେ ଓଡିଶାରେ ଶିଳ୍ପାୟନର ଅପାର ସମ୍ଭାବନା ରହିଛି । ପ୍ରାକୃତିକ ସମ୍ପତିର ଗନ୍ତାଘର । ଆମେ ଏହାର ସଠିକ୍ ବିନିଯୋଗ କରି ବିକାଶ ଅଭିମୁଖେ ଯାତ୍ରା କରିପାରିବା । ନୀତି ଓ ନିୟତି ସ୍ପଷ୍ଟ ଥିଲେ ଓଡିଶା ଆଗେଇବ । ଉଦ୍ୟୋଗ ସହ ୪ଟି ଦିଗ ପ୍ରତି ଧ୍ୟାନ ଦେବାକୁ ପ୍ରସ୍ତାବ ଦେଲେ ରାଜ୍ୟପାଳ । କୃଷି, ନିର୍ମାଣ, ଆଇଟି ଏବଂ ପର୍ଯ୍ୟଟନ ପ୍ରତି ଧ୍ୟାନ ଦେବା ଜରୁରୀ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଖାଲି ରୋଜଗାର ନୁହେଁ ବରଂ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରେ ।

publive-image

ନାରୀଶକ୍ତିର ବିକାଶ ବିନା ନା ରାଜ୍ୟ ନା ଦେଶ- କାହାର ବି ବିକାଶ ସମ୍ଭବ ନୁହେଁ । ରାଜ୍ୟ ଓ ଦେଶକୁ ଆଗକୁ ନେବାକୁ ହେଲେ ମହିଳାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ମହିଳା ସଶକ୍ତ ହେଲେ ଓଡିଶା ସଶକ୍ତ ହେବ । ସୁଯୋଗ ମିଳିଲେ ପୁରୁଷଙ୍କୁ ବି ପଛରେ ପକାଇଦେବେ ମହିଳା । ଆଜିର ନୂଆ ଭାରତରେ ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ରହୁଛି । ପଞ୍ଚାୟତରୁ ରାଷ୍ଟ୍ରପତି ଭବନ ଯାଏଁ ନାରୀଶକ୍ତିଙ୍କ ଉପସ୍ଥିତି ।

ଯୁବଶକ୍ତି ରାଷ୍ଟ୍ର ନିର୍ମାଣରେ ବଡ ଭୂମିକା ତୁଲାଇଥାନ୍ତି । ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ବିକାଶ ବି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟପାଳ । ସବୁ ଜିଲ୍ଲାରେ ପ୍ରଗତି ଆସିବା ଦରକାର, ତାହାଲେ ଯାଇ ଓଡିଶାର ପ୍ରଗତି ହେବ । ଗାଁର ବିକାଶ ହେଲେ ଗାଁ ଲୋକ ରୋଜଗାର ପାଇଁ ବାହାରକୁ ଯିବେନି ବୋଲି କହିଛନ୍ତି ରାଜ୍ୟପାଳ । ମତ୍ସ୍ୟଜୀବୀ, ସହରୀ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ ।