ବିଏସକେୱାଇ ଯୋଜନା ନେଇ ରାଜ୍ୟପାଳ ରଘୁବର ଦାସ କଲେ ଟୁଇଟ୍ । କହିଲେ, ଗଣମାଧ୍ୟମର ରିପୋର୍ଟ ଦେଉଛି କଷ୍ଟ । ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ।

915

କନକ ବ୍ୟୁରୋ: ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଭିତରେ ଚିନ୍ତାପ୍ରକଟ କଲେ ରାଜ୍ୟପାଳ । ଏନେଇ ରଘୁବର ଦାସ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏଥିପାଇଁ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବିଏସକେୱାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି । ସମସ୍ତ ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା କରାଯାଉଛି । କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିପାରିବେ ନାହିଁ । ଚିକିତ୍ସାରେ ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖାଲି ସେତିକି ନୁହେଁ, ରୋଗୀଙ୍କୁ ହସ୍ପିଟାଲ ଡିସଚାର୍ଜ ବି କରିପାରିବେ ନାହିଁ । ନୂଆ ସରକାର କୌଣସି ନିଷ୍ପତି ନେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । କୌଣସି ଅସୁବିଧା ହେଲେ ୧୦୪ ନମ୍ବରରେ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ । ବିଏସକେୱାଇ ଯୋଜନା ଜାରି ରହିଥିବା ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଥିଲେ ।