କନକ ବ୍ୟୁରୋ: ଡରାଉଛି ଫୋନି,ଥରୁଛି ଓଡ଼ିଶା । ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଏନେଇ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମ୍ଭାବ୍ୟ ବାତ୍ୟା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ସହ ରିଲିଫ୍ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା ସହ ଧନଜୀବନର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବାତ୍ୟା ଫୋନି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ପ୍ରସ୍ତୁତି କରାଯାଇଛି ସେନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ୨୦ ଓଡ୍ରାଫ ଓ ୧୨ ଏନଡିଆରଏଫ ଟିମ୍ ମୁତୟନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବାକୁ ଜନସାଧାରଣଙ୍କୁ କହିଛନ୍ତି ରାଜ୍ୟପାଳ ।ଖାସକରି ଔଷଧ, ପାନୀୟ ଜଳ ଓ ଖାଦ୍ୟ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ରିଲଫ କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ରେଡକ୍ରସ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣେଶୀ ଲାଲ ।

ବାତ୍ୟା ପୂର୍ବରୁ କ’ଣ କରିବେ ଏବଂ କ’ଣ ନକରିବେ ସେନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ପୂର୍ବରୁ ପ୍ରସ୍ତୁତି-
• ବାତ୍ୟା ସମ୍ପର୍କିତ କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ଭୟଭୀତ ନହୋଇ ଶାନ୍ତ ମନରେ ସୁରକ୍ଷିତ ରୁହନ୍ତୁ ।
• ମୋବାଇଲ୍ ଫୋନ୍ ସର୍ବଦା ଚାର୍ଜ ଫୁଲ୍ ରଖନ୍ତୁ
• ଟେଲିଭିଜନ କିମ୍ବା ରେଡ଼ିଓରେ ବାତ୍ୟା ସମ୍ପର୍କିତ ଖବର ବିଷୟରେ ଅବଗତ ରୁହନ୍ତୁ ।
• ଜରୁରୀକାଳୀନ ଫାର୍ଷ୍ଟ ଏଡ୍ କିଟ୍ ମହଜୁଦ ରଖନ୍ତୁ
• ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସୁରକ୍ଷିତ ରଖିନ୍ତୁ
• ଘରକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଉଚିତ୍ ପଦକ୍ଷେପ ନିଅନ୍ତୁ
• ବିପଦପୂର୍ଣ୍ଣ ସ୍ଥାନରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନିଅନ୍ତୁ

ବାତ୍ୟା ସମୟରେ ପ୍ରସ୍ତୁତି-
• ଘରର ବିଦ୍ୟୁତ୍ ସଂଯୋଗୀକରଣର ମେନ୍ ସୁଇଚ ଏବଂ ଗ୍ୟାସ୍ ଚୁଲା ବନ୍ଦ ରଖନ୍ତୁ ।
• ଘରର କବାଟ ଏବଂ ଝରକା ପବନ ସମୟରେ ବନ୍ଦ ରଖନ୍ତୁ ।
• ଯଦି ଆପଣଙ୍କ ଘର ବିପଦସଙ୍କୁଳ ଅବସ୍ଥାରେ ଅଛି ତେବେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।
• ପ୍ରତି ମୁହୂର୍ତ୍ତରେ ବାତ୍ୟା ସମ୍ପର୍କିତ ଖବର ପାଇଁ ରେଡ଼ିଓ ଓ ଟେଲିଭିନ ଅପଡେଟ୍ ରୁହନ୍ତୁ
• ସିଝା ପାଣି, କ୍ଲୋରିନ୍ ଯୁକ୍ତ ପାଣି ପିଇବାକୁ ପରାମର୍ଶ

ବାତ୍ୟା ପରବର୍ତ୍ତୀ ପଦକ୍ଷେପ-:
• ବାତ୍ୟା ପରେ ଭଙ୍ଗା ପଡ଼ିଥିବା କିମ୍ବା ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗୃହକୁ ଯାଆନ୍ତୁ ନାହିଁ ।
• ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟି ଠାରୁ ଦୂରରେ ରୁହନ୍ତୁ
• ଏକ ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ବିସ୍ତାପିତ ହେବାକୁ ଚେଷ୍ଟା କରନ୍ତୁ
ସେହିପରି ମତ୍ସ୍ୟଜୀବୀ ମାନଙ୍କୁ ତାଙ୍କର ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ । ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ । ଏହାସହ ରେଡ଼ିଓରେ ବାତ୍ୟା ସମ୍ପର୍କିତ ଖବର ଶୁଣବାକୁ ପାଇଁ ସାଥିରେ ବ୍ୟାଟେରୀ ମଧ୍ୟ ରଖନ୍ତୁ ।