କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହେଶ୍ୱରଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l ତାଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ,ଆତ୍ମୀୟସ୍ଵଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l ଓଁ ଶାନ୍ତି 🙏
— Governor Odisha (@GovernorOdisha) November 7, 2023
ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ମହେଶ୍ୱରଙ୍କ ପରଲୋକରେ ଶୋକବ୍ୟକ୍ତ କରିବା ସହ କହିଛନ୍ତି, ଏ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ ପରିବାରବର୍ଗଙ୍କୁ ମୋର ସମବେଦନା । ପ୍ରମିଳା ଓ ମହେଶ୍ୱର ଦୀର୍ଘ ବର୍ଷ ହେବ ଏକାଠି କାମ କରି ଆସିଥିଲେ । ନବୀନ ସରକାରରେ ଉଭୟ ମନ୍ତ୍ରୀ ଭାବେ ଏକାଠି କାର୍ଯ୍ୟ କରିଛନ୍ତି ।
ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ନିଧନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି । ଓଁ ଶାନ୍ତି 🙏 pic.twitter.com/vPmA8DqbIR
— PRAMILA MALIK 🇮🇳 (@pramila_mallick) November 7, 2023
ମହେଶ୍ୱର ମହାନ୍ତି ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଶତଚେଷ୍ଟା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ରାତି ୩ଟା ୨୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ହସପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ୧ ତାରିଖ ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ମହେଶ୍ୱର ମହାନ୍ତି । ୨୦୧୧ରେ ପଂଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ଅନେକ ବାଦ ବିବାଦରେ ସେ ଛନ୍ଦି ହୋଇଥିଲେ ବି ରାଜ୍ୟ ରାଜନୀତି ବିଶେଷ କରି ପୁରୀ ରାଜନୀତିରେ ସେ ବେଶ ପ୍ରଭାବଶାଳୀ ଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ ।