କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳାଇଛନ୍ତି କେନ୍ଦ୍ର ସରକାର । ନୂଆ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୋଦି ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥିବା ଥାବର ଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହପରି ଏକାଧିକ ରାଜ୍ୟପାଳଙ୍କ ରାଜ୍ୟ ଅଦଳବଦଳ କରାଯାଇଛି...

Advertisment
  • ମଙ୍ଗୁଭାଇ ଛଗନ ଭାଇ ପଟେଲ-ମଧ୍ୟପ୍ରଦେଶ ରାଜ୍ୟପାଳ
  • ଥାବର ଚନ୍ଦ ଗେହଲଟ - କର୍ଣ୍ଣାଟକ ରାଜ୍ୟପାଳ
  • ରମେଶ ବୈଶ - ଝାଡଖଣ୍ଡ ରାଜ୍ୟପାଳ
  • ବନ୍ଦାରୁ ଦତାତ୍ରେୟ - ହରିଆଣା ରାଜ୍ୟପାଳ
  • ସତ୍ୟଦେବ ନାରାୟଣ ଆର୍ଯ୍ୟ - ତ୍ରିପୁରା ରାଜ୍ୟପାଳ
  • ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର - ହିମାଚଳ ପ୍ରଦେଶ ରାଜ୍ୟପାଳ
  • ପିଏଏସ ଶ୍ରୀଧରଣ ପିଲ୍ଲାଇ - ଗୋଆ ରାଜ୍ୟପାଳ
  • ହରିବାବୁ କମ୍ଭମପତି - ମିଜୋରାମ ରାଜ୍ୟପାଳ

ଏହି ଅଦଳ ବଦଳରେ ଏକ ବଡଧରଣର ବାର୍ତ୍ତା ପରିଲକ୍ଷିତ ହୋଇଛି । ରେକର୍ଡ ସଂଖ୍ୟାରେ ଏସ.ସି, ଏସ.ଟି, ଓବିସି ଏବଂ ମହିଳାମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପିର ବିଶିଷ୍ଟ ଏସ.ସି ନେତା ଥାବର ଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ ମୋଦି ସରକାର ଏହି ସମ୍ପ୍ରଦାୟକୁ ନିଜ ଆଡକୁ ନେବା ପାଇଁ ଚେଷ୍ଟା କରିଛି ।

ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କୁ ହରିଆଣା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ଓ ରମେଶ ବୈଶଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏଠାରେ ଓଡିଶାର ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଥିଲେ । ୬ ବର୍ଷ କାର୍ଯ୍ୟକାଳ ପରେ ତାଙ୍କ ସ୍ଥାନରେ ରମେଶ ବୈଶଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ପିଏସ ଶ୍ରୀଧରଣ ପିଲ୍ଲାଇଙ୍କୁ ଗୋଆ, ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା, ହରିବାବୁ କମ୍ଭପତିଙ୍କୁ ମିଜୋରାମ ଏବଂ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।