ବିବାଦରେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ: ନିଜକୁ କହିଲେ ଭାଜପା କର୍ମୀ, ଗୈରିକ ଦଳକୁ ବିଜୟୀ କରିବାକୁ ଦେଲେ ଆହ୍ୱାନ

119

କନକ ବ୍ୟୁରୋ: ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇ ବିବାଦରେ ଫଶିଯାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ । ସେ କହିଛନ୍ତି, ମୋଦିଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ଜିତାଇବା ଆବଶ୍ୟକ । ଏପରିକି ସେ ନିଜକୁ ବିଜେପି କର୍ମୀ ବୋଲି କହିବାକୁ ପଛାଇନାହାନ୍ତି । ଆମେ ସମସ୍ତେ ବିଜେପି କର୍ମୀ । ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଦରକାର । ଏହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲିଗଡଠାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି କହିଛନ୍ତି କଲ୍ୟାଣ ସିଂହ ।


 

କଲ୍ୟାଣ ସିଂହଙ୍କ ମନ୍ତବ୍ୟକୁ ଚାରିଆଡୁ ବିରୋଧ କରାଯାଇଛି । ରାଜ୍ୟପାଳ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୯୯୧-୧୯୯୨ରେ କଲ୍ୟାଣ ସିଂହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହି ସମୟରେ କରସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗିଦେଇଥିଲେ । ୨୦୦୯ରେ ସେ ଇଟାୱା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଏନଡିଏ କେନ୍ଦ୍ରକୁ କ୍ଷମତାରେ ଆସିବା ପରେ କଲ୍ୟାଣ ସିଂହଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।