ମହାରାଷ୍ଟ୍ର ମହାନାଟକ: ହାତ ଟେକିଦେଲା ବିଜେପି, ସରକାର ଗଢିବାକୁ ଶିବସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

620

କନକ ବ୍ୟୁରୋ: ଗତ ଦୁଇ ସପ୍ତାହ ଧରି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଓ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଛି । ତେବେ ଏହି ଛକାପଞ୍ଝା ମଧ୍ୟରେ ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ଦେଇଛି ବିଜେପି । ମହାରାଷ୍ଟ୍ରରେ ବିଜେପି ସରକାର ଗଢିବନି ବୋଲି ହାତ ଟେକି ଦେଇଛି । ଏନେଇ ରାଜ୍ୟପାଳଙ୍କୁ ଭେଟି ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦଳ କହିଛି, ବିଜେପି ଏକୁଟିଆ ସରକାର ଗଠନ କରିପାରିବ ନାହିଁ । ତେଣୁ ସେମାନେ ସରକାର ଗଠନ କରିବେ ନାହିଁ ।

ସେପଟେ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବୃହତମ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଦଳର ସାମର୍ଥ୍ୟ ଅଛି ନା’ ନାହିଁ ସେନେଇ ପଚାରି ବୁଝିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରୀ ।

ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଂଟ କରି ନିର୍ବାଚନ ଲଢ଼ିଥିଲେ ସୁଦ୍ଧା, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିଲା । ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି । ଦେବେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବୃହତମ ଦଳ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ ।

ସେପଟେ ଆଜି ଉଦ୍ଧବ ଠାକରେ ଶିବସେନାର ବିଧାୟକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଶିବସେନା ଏବେ ଆଉ ପାଲିଙ୍କି ବୋହିବ ନାହିଁ । ଏବେ ପାଲିଙ୍କିରେ ବସିବାର ସମୟ ଆସିଛି । ମୁମ୍ବାଇର ଏକ ତାରକା ହୋଟେଲରେ ଏବେ ଶିବସେନାର ସମସ୍ତ ୫୬ ଜଣ ବିଧାୟକ ଏକାଠି ଅଛନ୍ତି ।