କୁଳପତି ଚୟନରେ କ’ଣ ପ୍ରଶ୍ନ କରିଥିଲେ ରାଜ୍ୟପାଳ? କେଉଁ ପ୍ରଶ୍ନର ଉତ୍ତର ଦେଇ କୁଳପତି ହେଲେ ପ୍ରାର୍ଥୀ, ପଢ଼ନ୍ତୁ…

734
କନକ ବ୍ୟୁରୋ: ଓଡିଶାର ୬ଟି ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ରାଜ୍ୟପାଳ କରିଥିବା ପ୍ରଶ୍ନକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଗତ ସୋମବାର ପତ୍ନିଙ୍କ ଦେହାନ୍ତ ସତ୍ୱେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍୍ କୁଳପତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ସର୍ଟଲିଷ୍ଟ କରି ୧୬ ଜଣ ବରିଷ୍ଠ ପ୍ରଫେସରଙ୍କୁ ରାଜଭବନକୁ ଡକାଯାଇଥିଲା । ବରିଷ୍ଠ ପ୍ରଫେସରଙ୍କୁ କେମିତି ପ୍ରଶ୍ନ କରାଯାଇଥିବ, କଣ ଉତର ଦେଇ ପ୍ରାର୍ଥୀ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ସେନେଇ ଏବେ ଚର୍ଚ୍ଚା ଚାଲିଛି ।
ଓଡିଶା ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଚୟନ ପାଇଁ ହୋଇଥିବା ପରୀକ୍ଷା ଏବେ ଦୁଇଟି କାରଣକୁ ନେଇ ବେଶ ଚର୍ଚ୍ଚାରେ । ଗୋଟିଏ ହେଉଛି ରାଜ୍ୟପାଳ ବ୍ୟକ୍ତିଗତ ଦୁଃଖକୁ ଏଡାଇ ଦେଇ ରାଜକାର୍ଯ୍ୟ କରିବା ଓ ଅନ୍ୟଟି ହେଉଛି କୁଳପତି ଚୟନ ପରୀକ୍ଷାରେ ପଚରା ଯାଇଥିଲା ପ୍ରଶ୍ନ । ପ୍ରାର୍ଥୀଙ୍କୁ ପଚରାଯାଇଥିବା ୪ଟି ପ୍ରଶ୍ନ କରାଯାଇଥିଲ ।
ସେହି ପ୍ରଶ୍ନଗୁଡିକ ହେଉଛି….
୧- ବିଶ୍ୱ କେଉଁଥିରେ ତିଆରି  
୨-ବିଶ୍ୱ ନିର୍ମାଣରେ ବିଶ୍ୱବିଦ୍ୟାଳୟର ଭୂମିକା 
୩- ଆପଣଙ୍କ କାର୍ଯ୍ୟ ଦକ୍ଷତା, କାମ କରିବାର ଶୈଳୀ? କାମ କରିବାର ଭାବନା ?
୪- ଯଦି ଭଗବାନ ଆପଣଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ବର ଯାଚନ୍ତି, ଆପଣ କଣ ମାଗିବେ ?
ଏହି ୪ଟି ପ୍ରଶ୍ନର ଉତର ଦେବାକୁ କୁଳପତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ କୁହାଯାଇଥିଲା ।
ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, କୁଳପତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ
ମୁଁ ନିଜେ ଲେଖିଥିଲି, ଭଗବାନଙ୍କୁ ପ୍ରାର୍ଥନା କରିବି ଭଗବାନ ମୋତେ ଶକ୍ତି ଦିଅନ୍ତୁ, ସମାଜର କେମିତି ସେବା କରିପାରିବି ସ୍ୱଳ୍ପ ସମୟ ଭିତରେ ।
ପ୍ରଫେସର ଅପରାଜିତା ଚୌଧୁରୀ, କୁଳପତି, ରମାଦେବୀ ବିଶ୍ୱବିଦ୍ୟାଳୟ–  
ପ୍ରତିଟି ପ୍ରଶ୍ନକୁ ମୁଁ ଉପଭୋଗ କରିଥିଲି, ଆଉ ଟିକେ ସମୟ ଲାଗିଥିବା ପ୍ରଶ୍ନକୁ ବୁଝିବା ପାଇଁ । ପ୍ରକୃତରେ ୪ଟି ପ୍ରଶ୍ନ ରହିଥିଲା, ପ୍ରଶ୍ନଗୁଡିକର ପରିସର ବ୍ୟାପକ ଓ ଦାର୍ଶନିକ ରହିଥିଲା । ପ୍ରଶ୍ନ ଦେଖିବା ପରେ ବହୁତ ଗୁଡିଏ ଚିନ୍ତା ମନକୁ ଆସିଲା, ହେଲେ ସୀମିତ ସମୟରେ ଲେଖିହେଲା ନାହିଁ । ଯେତିକି ମନେ ପଡିଲା, ସେତିକି ପଏଂଟ ୱାଇଜ ଲେଖିଦେଲି ।
ନଭେମ୍ବର ୨୩ ତାରିଖରେ ବ୍ୟକ୍ତିଗତ ଦୁଃଖକୁ ଆଡେଇ ଦେଇ ରାଜକାର୍ଯ୍ୟ ପାଇଁ ଆଗେଇ ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସହଧର୍ମିଣୀଙ୍କ ଦେହାନ୍ତ ପରେ ଶେଷକୃତ୍ୟରେ ସାମିଲ ନହୋଇ ରାଜକାର୍ଯ୍ୟ କରି ୬ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ଚୟନ କରିଥିଲେ ।
ପ୍ରଫେସର ଏନ.ନାଗାରାଜୁ, ଜିଏମ ବିଶ୍ୱବିଦ୍ୟାଳୟ
ଯେଉଁଦିନ କୁଳାଧିପତିଙ୍କ ବ୍ୟକ୍ତିଗତ ଭାବେ ବଡ କ୍ଷତି ହୋଇଥିଲା, ସେହିଦିନ ଆମକୁ ସାକ୍ଷାତକାର ପାଇଁ ଡାକିବା ହିଁ ବଡ କଥା । ମୁଁ ଦୂରରୁ ଆସିଥିଲି, ଡେରି ହୋଇଥିଲା । ଏତେ ବଡ ବ୍ୟକ୍ତିଗତ କ୍ଷତି ପରେ ବି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପରୀକ୍ଷା କରି କୁଳାଧିପତି କର୍ତବ୍ୟ ପାଳନ କରିଥିଲେ ।
ନଭେମ୍ବର ୨୩ତାରିଖରେ ୬ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ସର୍ଟଲିଷ୍ଟ କରାଯାଇ ମୋଟ ୧୬ ଜଣ ବରିଷ୍ଠ ପ୍ରାଧ୍ୟାପକଙ୍କୁ ରାଜଭବନକୁ ଡକାଯାଇଥିଲା ।