କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭରେ ରାଜ୍ୟପାଳ : କହିଲେ, ଉତ୍କଳ ପ୍ରତିଭାଙ୍କୁ ଚିହ୍ନଟ କରିଥିବାରୁ ଧନ୍ୟବାଦ

71

କନକ ବ୍ୟୁରୋ : କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୧ । ୩ଟି ପର୍ଯ୍ୟାୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କାର୍ଯ୍ୟକ୍ରମର ଉଦଘାଟନ କରି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରସଂଶା କରିଛନ୍ତି । କହିଛନ୍ତି ଓଡିଶାର ପ୍ରତିଭାମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବା ଏତେ ସହଜ ନୁହେଁ ।

ତଥାପି ପ୍ରତିଭାଙ୍କୁ ଚିହ୍ନଟ କରି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭରେ ସମ୍ମାନିତ କରିଥିବାରୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ରାଜ୍ୟପାଳ । ୭୦ ବର୍ଷରୁ ଅଧିକ ସମୟ ଧରି ଚାଟଶାଳିରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଥିବା ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ଙ୍କୁ ସମ୍ମାନିତ କରିଛି କନକ ନ୍ୟୁଜ । ସେହିଭଳି ବିପଦ ସମୟରେ ଲୋକଙ୍କ ପାଇଁ ସହାରା ପାଲଟିଥିବା ଭଦ୍ରକର ମହିଳା ଛାୟାରାଣୀ ସାହୁ ଓ ସମାଜସେବା ପାଇଁ ଯୁଗବ୍ରତ କରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ସେହିପରି ଓଡ଼ିଶା ନିର୍ମାଣ କନକ୍ଲେଭରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ତାଙ୍କର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି, କ୍ଷମତାସୀନ ଦଳ ବିକାଶ କରୁଛନ୍ତି ବୋଲି କହିବେ । ବିରୋଧୀ ଦଳମାନେ ବିକାଶ ହେଉନାହିଁ ବୋଲି କହିବେ । କିନ୍ତୁ ଗଣମାଧ୍ୟମର ଦାୟିତ୍ୱ ହେଲା ବିକାଶ କେଉଁ ଦିଶାରେ ଯାଉଛି, କେଉଁଠି ଆଗେଇଛି, କେଉଁଠି ପଛେଇଛି, ସେସବୁ ନେଇ ଏକ ଅନାସକ୍ତ ତର୍ଜମା ଓ ଆଲୋଚନାର ପ୍ଲାଟଫର୍ମ ତିଆରି କରିବ ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ବିକାଶ ପଥେ ଆଗେଇଛି । ରାଜ୍ୟ ସରକାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ସ୍ମାର୍ଟ ସ୍କୁଲରେ ୧ ହଜାର ସ୍କୁଲ ଯୋଡ଼ି ହେଲାଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବା ସରକାରଙ୍କ ଲକ୍ଷ । ସ୍ମାର୍ଟ ହେଲଥ କାର୍ଡ଼ରେ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନଶକ୍ତିରେ ମହିଳା ମାନେ ଉପକୃତ ହୋଇଛନ୍ତି ।