ଶିବସେନାକୁ ଝଟକା ଦେଲେ ରାଜ୍ୟପାଳ । ସରକାର ଗଠନ କରିବାକୁ ଶିବସେନାକୁ ଅଧିକ ସମୟ ଦେବାକୁ ସିଧାସିଧା ମନା କଲେ, ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ବଢିଲା ଚର୍ଚ୍ଚା ।

947

କନକ ବ୍ୟୁରୋ : ସମୟ ଗଡି ଚାଲିଛି, କିନ୍ତୁ ମହାରାଷ୍ଟ୍ରକୁ ନେଇ ହେଉଥିବା ଚର୍ଚ୍ଚା ଫର୍ଚ୍ଚା ହେଉନାହିଁ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି । ଗୋଟିଏ ପଟେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଶିବସେନା ଦାବି କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଏଯାଏଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ସରକାର ଗଠନ ପାଇଁ ଶିବସେନାକୁ ସମର୍ଥନ ଦିଆଯିବ କି ନାହିଁ ତାହା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା ପରେ ନିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟପାଳଙ୍କୁ ଭେଟିବା ପରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଢିବାକୁ ଦଳ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଉ ଏଥିପାଇଁ ଅଧିକ ୪୮ ଘଣ୍ଟାର ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ମନା କରିଛନ୍ତି । ତେବେ ଆମର ଦାବିକୁ ଖାରଜ କରିନାହାନ୍ତି ବୋଲି କହିଛନ୍ତି ଆଦିତ୍ୟ । ଏଯାଏଁ ଆମେ ସରକାର ଗଢିବାକୁ ଆଶାବାଦୀ ଅଛୁ । ଆଉ ଏଥିପାଇଁ ଅନ୍ୟ ଦଳ ସହ ଆଲୋଚନା ଚାଲିଛି । କଂଗ୍ରେସ-ଏନସିପି ସହ ଆଲୋଚନା କରୁଛି । ମହାରାଷ୍ଟ୍ରକୁ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି । ଖୁବଶୀଘ୍ର ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଦିତ୍ୟ ।

ଏସବୁ ଭିତରେ ଏବେ ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସରକାର ଗଠନ ପାଇଁ ଅଧିକ ସମୟ ଦେବାକୁ ମନା କରିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି ରାଜ୍ୟପାଳ ଭଗତ୍ ସିଂ କୋଶଆରି । ତେବେ ଶିବସେନା ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ପତ୍ର ହାସଲ କରିପାରିଲେ ରାଜ୍ୟପାଳ ପୁଣିଥରେ ଦଳକୁ ସରକାର ଗଢିବାକୁ ସୁଯୋଗ ଦେଇପାରନ୍ତି ।