କନକ ବ୍ୟୁରୋ : ଯେତେବେଳେ ଦେଶରେ ବେକାରୀ ସମସ୍ୟା ପୂର୍ବ ବର୍ଷର ସମସ୍ତ ରେକର୍ଡ ଭାଙ୍ଗୁଛି, ଯେତେବେଳେ କରୋନା ମହାମାରୀ ପାଇଁ ଦେଶର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଦେଶରେ ଗୋଟିଏ ଗୋଟିଏ ସରକାରୀ ପଦବୀ ପାଇଁ ହଜାର ହଜାର ବେକାର ଯୁବକ ଯୁବତୀ ଆବେଦନ କରୁଛନ୍ତି । ଝାଡୁଦାର ପଦ ପାଇଁ ଏମବିଏ ଓ ଇଂଜିନିୟରିଂ ଧାରୀମାନେ ଇଣ୍ଟରଭ୍ୟୁ ଦେବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଠିକ୍ ସେତିକି ବେଳେ ଶିକ୍ଷାନୁଷ୍ଠାନରେ କିଏ କିଭଳି ପୋଷାକ ପିନ୍ଧିବ ତାହାକୁ ନେଇ ଦେଶର ରାଜନୀତି ସରଗରମ ହେଉଛି ।

Advertisment

କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅର୍ନ୍ତଜାତୀୟ ପ୍ରସଙ୍ଗ ହେବାରେ ଲାଗିଛି । ଏହି କ୍ରମରେ ଏହି ବିବାଦ ଭିତରକୁ ଡିଆଁ ମାରିଛନ୍ତି କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ । ଏହି ପ୍ରସଙ୍ଗରେ ସେ ନିଜର ବୟାନକୁ ଚିରାଚରିତ ଢଙ୍ଗରେ ରଖିଛନ୍ତି । ଆରିଫ ମହମ୍ମଦ ଖାନ କହିଛନ୍ତି କି, ଶିକ୍ଷାନୁଷ୍ଠାନରେ ଯାହାକୁ ,ୟୁନିଫର୍ମ ପସନ୍ଦ ନୁହେଁ .ସେ ଶିକ୍ଷାନୁଷ୍ଠାନ ବାହାରକୁ ଚାଲିଯାଉ । ତାଙ୍କ କହିବାର ଅର୍ଥ ଶିକ୍ଷାନୁଷ୍ଠାନରେ ଅନୁଶାସନ ନିହାତି ଜରୁରୀ ।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଆରିଫ ମହମ୍ମଦ ଖାନ କହିଛନ୍ତି କି କିଏ କେଉଁ ପ୍ରକାରର ପୋଷାକ ପିନ୍ଧିବ ତାହାକୁ ନେଇ ବିବାଦ ହେବା କଥା ନୁହେଁ । ଏହା ପ୍ରତିଟି ମଣିଷର ମୌଳିକ ଅଧିକାର କି ସେ କଣ ପିନ୍ଧିବ ହେଲେ ପୋଷାକ ଅଶାଳୀନ ହେଲେ ତାହା ବିବାଦ ଭିତରକୁ ଯିବ ବୋଲି ରାଜ୍ୟପାଳ କହିଛନ୍ତି ।

କହିରଖୁ କି କର୍ଣ୍ଣାଟକର ହିଜାବ ବିବାଦ ଏବେ ଦେଶର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ଏନେଇ କର୍ଣ୍ଣାଟକ ହାଇକୋର୍ଟ ଗତକାଲି ତାଙ୍କ ଶୁଣାଣିରେ କହିଥିଲେ କି ରାୟ ନଆସିବା ଯାଏ କେହି ବି ଧାର୍ମିକ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ପ୍ରବେଶ କରିପାରିବେ ନାହିଁ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।