ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ସରକାରଙ୍କ ତତ୍ପରତା: ବନ୍ଦ ହେଲା ଟୋଲଗେଟ୍

3,644

କନକ ବ୍ୟୁରୋ: ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ସରକାରଙ୍କ ତତ୍ପରତା । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ହେଲା ଟୋଲଗେଟ୍ । ସେପଟେ ସ୍ୱତନ୍ତ୍ର ବସ୍ରେ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ତୀର୍ଥଯାତ୍ରୀଙ୍କୁ ରହିବା ବ୍ୟବସ୍ଥା କରାଯିବା ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟୋଲ ଗେଟ ବନ୍ଦ କରିଛି ଆଠଗଡ଼ ପ୍ରଶାସନ । ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ନିଆଯିବ ନିଷ୍ପତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଟୋଲ୍ ଆଦାୟକୁ ନେଇ ଆଠଗଡ଼ ମୁଣ୍ଡଳି ଟୋଲ୍ ଗେଟ୍ରେ ଗଣ୍ଡଗୋଳ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି । ଟୋଲ୍ ଗେଟ୍ କର୍ମଚାରୀ ଛତିଶଗଡ଼ରୁ ଆସିଥିବା ଦୁଇଟି ତୀର୍ଥଯାତ୍ରୀ ବସ୍କୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗତ ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ଗତକାଲି ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟ୍ରେ ପହଂଚିଥିଲା । ଏମାନେ ତୀର୍ଥ ଯାତ୍ରା ଶେଷ କରି ଛତିଶଗଡ଼ ଯାଉଥିଲେ । ଟୋଲ୍ ଗେଟ୍ କର୍ମଚାରୀ ବସ୍ ପିଛା ୫ ଶହ ଟଙ୍କା ଦେବାକୁ କହିଥିଲେ । ହେଲେ ପ୍ରତିଥର ୨ ଶହ ଟଙ୍କା ଦେଇ ଯିବା ଆସିବା କରୁଥିବା କହିଥିଲେ ବସ୍ ଡ୍ରାଇଭର । ଏହାକୁ ନେଇ ବଚସା ହୋଇଥିଲା । ଯାହାକି ଗଣ୍ଡଗୋଳର ରୂପ ନେଇଥିଲା । ଟୋଲ୍ ଗେଟ୍ କର୍ମଚାରୀ ତୀର୍ଥଯାତ୍ରୀଙ୍କୁ ଠେଙ୍ଗାରେ ଗୋଡାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।