ହୋସ୍ ଉଡାଇଦେଲା ନୂଆ ହେଲମେଟ୍ ନିୟମ ! ଏଣିକି ଶସ୍ତା ପିନ୍ଧିଲେ ଗଣିବେ ଜୋରିମାନା, ହଲମାର୍କ ହେଲମେଟ୍ ନପିନ୍ଧିଲେ ହଜାରେ ଗଣିବେ ଗାଡିଚାଳକ ।

6,001

କନକ ବ୍ୟୁରୋ : ଆଉ ଚଳିବନି ଚାଲୁ ହେଲମେଟ୍ । ଶସ୍ତା ପିନ୍ଧିଲେ ଗଣିବେ ଜୋରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ ଯିବା ବେଳେ ଫାଇନକୁ ଫାଙ୍କିବା ପାଇଁ ବାଇକ ଚାଳକ ମୁଣ୍ଡରେ ଯେକୌଣସି କ୍ୱାଲିଟିର ହେଲମେଟ୍ ପିନ୍ଧୁଛନ୍ତି । ଯାହାକି ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କାରଣ ଦୁର୍ଘଟଣା ଘଟିଲେ, ଏହି ଶସ୍ତା ହେଲମେଟ୍ ଆପଣଙ୍କ ଜୀବନ ରକ୍ଷା କରିପାରିନଥାଏ ।

ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନିୟମ ପରେ ନିୟମ ଆଣୁଛନ୍ତି । କିନ୍ତୁ କିଛି ବେପରୁଆ ବାଇକ୍ ଚାଳକ ଟ୍ରାଫିକ୍ ନିୟମ ମାନିବାକୁ ନାରାଜ । ଆଉ କିଛି ଚାଳକ ଫାଇନରୁ ବର୍ତିବା ପାଇଁ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଛନ୍ତି । କାରଣ ସେମାନେ ସଠିକ୍ ହେଲମେଟର ବ୍ୟବହାର କରୁନାହାନ୍ତି ।

ହେଲମେଟ୍ ପାଇଁ ଆସିଲା ନୂଆ ନିୟମ । ହଲମାର୍କ ହେଲମେଟ୍ ନଥିଲେ ହଜାରେ ଗଣିବେ । ସଡକ ସୁରକ୍ଷା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର । ଏଣିକି ବାଇକ ଚାଳକମାନେ କେବଳ ହଲମାର୍କ ଥିବା ହେଲମେଟ୍ ହିଁ ପିନ୍ଧିପାରିବେ । ଆଉ ବଡ କଥା ହେଉଛି, ଏହି ନିୟମ ନମାନିଲେ, ବାଇକ ଚାଳକଙ୍କୁ ଜୋରିମାନା ଦେବାକୁ ପଡିବ ।

ରାସ୍ତା କଡରେ ଅନେକ ଲୋକ ହେଲମେଟ୍ ବିକ୍ରି କରୁଥିବାର ଦେଖାଯାଏ । ଏହି ହେଲମେଟ୍ କିଣିବାଠୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏହି ହେଲମେଟ୍ ହୁଏତ ଆପଣଙ୍କୁ ଫାଇନ ଦେବାରୁ ବଂଚାଇ ଦେବ କିନ୍ତୁ ଆପଣଙ୍କ ଜୀବନ ରକ୍ଷା କରିପାରିବ ନାହିଁ ।