ମମତାଙ୍କୁ ମୋଦି ଦେଇନଥିଲେ ବାତ୍ୟା ସମୀକ୍ଷା ବୈଠକରୁ ଅଧାରୁ ଯିବାକୁ ଅନୁମତି । ଦିଦିଙ୍କ ୯ଟି ବଡ଼ ହମଲାର ଜବାବ ରଖିଲା କେନ୍ଦ୍ର ।

1,368

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମ୍ପର୍କିତ ସମୀକ୍ଷା ବୈଠକ ଅଧାରୁ ଯିବା ପୂର୍ବରୁ ୩ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତି ନେଇଥିଲି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିଦିଙ୍କ ଦାବିକୁ ମିଛ ବୋଲି କହି ସେଦିନର ପୁରା ଘଟଣା ବିଷୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ବୈଠକ ଅଧାରୁ ଯିବା ପାଇଁ ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଅନୁମତି ଦେଇନଥିବା କହିଛି କେନ୍ଦ୍ର ।

ଦିଦି କହିଥିଲେ ଯେ, “ବାତ୍ୟା ପରେ ମୁଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯୋଜନା କରିଥିଲି । ବାତ୍ୟା ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଦେଖିବା ପାଇଁ ମୋତେ ସାଗର ଏବଂ ଦିଘା ଯିବାର ଥିଲା । ମୋର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାକୁ ଆସୁଥିବା ନେଇ ଫୋନ ଆସିଥିଲା । ସାଗର ଓ ଦିଘା ଯିବା ପାଇଁ ଯୋଜନା ଥିବାରୁ ତାଙ୍କୁ ବୈଠକ ଅଧାରୁ ଯିବାକୁ ପଡିଲା ବୋଲି କହିଥିଲେ । ଏହାର ଉତ୍ତରରେ କେନ୍ଦ୍ର କହିଛି, ବାତ୍ୟା ଆସିବା ପୂର୍ବରୁ କେବେ ହେଲେ ବି ତାହାର କ୍ଷୟକ୍ଷତିର ଆକଳନ ହୋଇପାରିବ ନାହିଁ । ତେଣୁ ବାତ୍ୟା ପରେ ହିଁ ତୁରନ୍ତ ବୈଠକ ହେବା ନେଇ ପରଦିନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିବା ନେଇ ଦିଦି କରିଥିବା ଦାବି ଉପରେ କେନ୍ଦ୍ର କହିଛି ଯେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୧.୫୯ ରେ କାଲାଇକୁଣ୍ଡାରେ ଅବତରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପରେ ଅପରାହ୍ନ ୨.୧୦ ରେ ମମତା ବାନାର୍ଜୀ କାଲାଇକୁଣ୍ଡାରେ ଅବତରଣ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଗରୁ ଅବତରଣ କରି ତାଙ୍କୁ ଅପେକ୍ଷା କରିଥିଲେ । ମମତା ବାନାର୍ଜୀ ଅବତରଣ କରିବା ପରେ ବୈଠକ ହେଉଥିବା କୋଠାରେ ପହଞ୍ଚିଥିଲେ, ଯାହା ମାତ୍ର ୫୦୦ମିଟର ଦୂରରେ ଥିଲା । ତୁରନ୍ତ ଆସି ୨୫ମିନିଟ ରହିବା ସହ ସେ ସେଠାରୁ ଚାଲିଯାଇଥିଲେ । ଏଥିରୁ ସ୍ପଷ୍ଟ ଯେ ଦିଦି କହିଥିବା ସମସ୍ତ କଥା ମିଛ । ସେ ଅପେକ୍ଷା କରିନଥିଲେ ବରଂ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପାଇଁ ଅପେକ୍ଷା କରିବାକୁ ପଡିଥିଲା ।