ଆହୁରି ଜୋରଦାର ହେବ କରୋନା ଟିକାକରଣ । ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ।

78

କନକ ବ୍ୟୁରୋ : କରୋନା ଟିକା କରଣ ଆହୁରି ଜୋରଦାର କରିବେ ରାଜ୍ୟ ସରକାର । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ଲେଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମ ଅନୁସାରେ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଜଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଆବଶ୍ୟକ କୋଲ୍ଡ ଚେନ, ଟିକା କେନ୍ଦ୍ର କରିବା ପାଇଁ ପ୍ରକୋଷ୍ଠ, ଅପେକ୍ଷା ଗୃହ ଏବଂ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ର ଥିଲେ ଜଣାଇବାକୁ କୁହାଯାଇଛି । ଏଥିରୁ ଜଣାପଡ଼ୁଛି ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲକୁ ସାମିଲ କରିବାକୁ ଚାହୁଁଛନ୍ତି ।

ଏସବୁ ଭିତରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆଜି ମଧ୍ୟ ଜାରି ରହିଛି । ତେବେ ଭୁବନେଶ୍ୱରରେ ଆଜିଠାରୁ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ କରାଯାଇଛି । ରାଜଧାନୀରେ ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି । ସମ, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି । ସେହିପରି ନିଳାଚଳ, ହାଇଟେକ୍, କେୟାର, ଏଲ ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଶ, ବିବେକାନନ୍ଦ, ଆପୋଲୋ ଏବଂ ସମ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ କରୋନା ଟିକା ଦିଆଯାଉଛି । ତେବେ ଏସବୁ ଘରୋଇ ହସ୍ପିଟାଲରେ କେବଳ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ଜଣାପଡିଛି ।