କରୋନା ପାଇଁ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା ରୋକ୍ । ଆସନ୍ତା ୩୧ ଯାଏଁ ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

1,015

କନକ ବ୍ୟୁରୋ: ସରକାରଙ୍କୁ ଘାରିଛି କରୋନା ଚିନ୍ତା । କରୋନା ପାଇଁ ଏବେ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା  ରୋକ୍ । ଭାରତରେ  ଚାଇନା ଭୁତାଣୁକୁ ଆଖି ଆଗରେ ରଖି ଆସନ୍ତା ୩୧ ତାରିଖ ଯାଏଁ ସମସ୍ତ ସରକାରୀ ଅଫିସମାନଙ୍କରେ ଲାଗିଥିବା ବାୟୋମେଟ୍ରିକ ଉପସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ସରକାରୀ ମନ୍ତ୍ରାଳୟ ତଥା ବିଭାଗଗୁଡିକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆଧାର ଭିତ୍ତିକ ବାୟୋମେଟ୍ରିକ ସିଷ୍ଟମକୁ ବନ୍ଦ କରି ସେମାନଙ୍କ କର୍ମଚାରୀଙ୍କୁ ଛାଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ସମୟରେ କର୍ମଚାରୀ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ଚିହ୍ନଟ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ମାସ୍କ ପିନ୍ଧିବାର ଆବଶ୍ୟକତା ଉପରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ମାସ୍କର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଚାର୍ଜ କରୁଥିବା ଦୋକାନୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।