ଆଉ କିଛି ସମୟ ପରେ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ : ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଲା କଂଗ୍ରେସ

 କୃଷି ଆଇନ ପ୍ରତ୍ୟାହାର ଓ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୁରଣ ଦାବି

54

କନକ ବ୍ୟୁରୋ : ଆଉ କିଛିସମୟ ପରେ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରେ ମୋଦୀ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ଏହା ପୂର୍ବରୁ ସେହି ଚାଷୀ ପ୍ରସଙ୍ଗରେ ସରକାରଙ୍କ ଘେରାବନ୍ଦୀ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଅଧିବେଶନ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ମୂଲତବୀ ନୋଟିସ ଦେଇଛି କଂଗ୍ରେସ । କୃଷି ଆଇନ ପ୍ରତ୍ୟାହାର କରିବା ସହ ଆନ୍ଦୋଳନବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦଳ ଦାବି କରିଛି ।

ସେହିପରି ଏମଏସପିକୁ ଆଇନ ଆକାରରେ ଆଣିବା ପାଇଁ କଂଗ୍ରେସ ମଧ୍ୟ ଚାଷୀ ସଂଗଠନଗୁଡକ କରୁଥିବା ଦାବିକୁ ସମର୍ଥନ ଜଣାଇଛି । ଅଧିବେଶନ ପୂର୍ବରୁ ଗତକାଲି ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ଅନେକ ବିରୋଧୀ ଦଳ ଦରବୃଦ୍ଧି, ପେଗାସସ ଗୁପ୍ତଚର ମାମଲା ଓ ବେକାରୀ ସମସ୍ୟା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ନହେବାରୁ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ସରକାର ସବୁ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

କିନ୍ତୁ ବିରୋଧୀ ଗୃହ ଚଲାଇବାରେ ସହାୟତା କରନ୍ତୁ । ହେଲେ ଆରମ୍ଭରୁ ସଂସଦର ଶୀତ ଅଧିବେଶନ ସରଗାରମ ହେବା ନେଇ ସଂକେତ ମିଳୁଛି । ମାଳ ମାଳ ପ୍ରସଙ୍ଗ ଧରି ମୋଦୀ ସରକାରଙ୍କୁ ଅକଳରେ ପକାଇବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଆଗାମୀ ୨୩ ତାରିଖ ଯାଏଁ ସଂସଦ ଚାଲିବାକୁ ଥିବାବେଳେ ମୋଟ୍ ୨୬ଟି ବିଲ ଆଣିବାକୁ ସରକାର ଯୋଜନା କରିଛନ୍ତି । ଯାହା ଏତେ ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।