ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୫୦,୦୦୦ରୁ ଅଧିକ ଆଧାର ପଞ୍ଜୀକରଣ କେନ୍ଦ୍ରର ଅଡିଟ୍ କରିବେ କେନ୍ଦ୍ର ସରକାର । ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ କେନ୍ଦ୍ରଗୁଡ଼ିକରେ ପହଞ୍ଚି ବିଭିନ୍ନ ବିଷୟ ଯାଞ୍ଚ କରିବେ । ତିନି ସ୍ୱାଧୀନ ଅଡିଟରଙ୍କୁ ଏଥିପାଇଁ ନିଯୁକ୍ତ କରାଯିବ ।
ସେମାନେ ପ୍ରତ୍ୟକ୍ଷ ଭାବେ ଆଧାର କେନ୍ଦ୍ରରେ ପହଞ୍ଚି ସେଠାରେ ‘ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ’ (ୟୁଆଇଡିଏଆଇ)ର ଗାଇଡଲାଇନକୁ ପାଳନ କରାଯାଉଛି ନା ନାହିଁ ତାହା ପରଖିବେ । ଯେଉଁ ହାର୍ଡଓୟାର ଏବଂ ସଫ୍ଟଓୟାର ବ୍ୟବହାର କରାଯାଉଛି ତାହା ୟୁଆଇଡିଏଆଇ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡକୁ ପୂରଣ କରୁଛି ନା ନାହିଁ ତାହା ଜାଣିବାକୁ ପ୍ରୟାସ କରିବେ ।
ଆଧାର ସେବା ପାଇଁ ଲୋକମାନଙ୍କୁ ହଇରାଣ କରାଯାଉଛି ନା ନାହିଁ ଏବଂ କୌଣସି ପ୍ରକାର ବେଆଇନ କାରବାର ହେଉଛି କି ? ଆଦି ବିଷୟରେ ମଧ୍ୟ ଅଡିଟର୍ମାନେ ତଥ୍ୟ ହାସଲ କରିବାକୁ ପ୍ରୟାସ କରିବେ । ପ୍ରତିଟି ଆଧାର କେନ୍ଦ୍ରରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ଫଟୋ ଉଠାଯିବ। ଏହା ବ୍ୟତୀତ ଆଧାର ପଞ୍ଜୀକରଣ ଚାଲିଥିବା ସମୟରେ ଏକ ୫-୧୦ ମିନିଟର ଭିଡିଓ ପ୍ରସ୍ତୁତ କରାଯିବ ।
ପ୍ରଥମ ବର୍ଷ ପ୍ରତିଟି ଅଡିଟରଙ୍କୁ ୧୦,୦୦୦ଟି ଆଧାର କେନ୍ଦ୍ରର ଅଡିଟ୍ ଦାୟିତ୍ୱ ପ୍ରଦାନ କରାଯିବ । ପ୍ରତିଟି କେନ୍ଦ୍ରରେ ସୁପରଭାଇଜର୍ ଏବଂ ଯାଞ୍ଚକାରୀ ରହିଛନ୍ତି ନା ନାହିଁ ସେମାନେ ଜାଣିବାକୁ ପ୍ରୟାସ କରିବେ । ନାଗରିକମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି ? ଲୋକମାନଙ୍କ କାଗଜପତ୍ର ସ୍କାନ୍ କରିବା ପରେ ଫେରସ୍ତ କରାଯାଉଛି ନା ନାହିଁ । ଆଧାର ପଞ୍ଜୀକରଣର ପ୍ରତିଟି ଦିଗକୁ ଅଡିଟରମାନେ ଯାଞ୍ଚ କରିବେ ।
ଆଧାରକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ରହିଛି । ଏହା ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ କରି କୋର୍ଟରେ କେତେକ ମାମଲା ଦାୟର କରାଯାଇଛି । ଏଭଳି ପରିସ୍ଥିତିରେ ସରକାର ଏହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ଆଧାର କେନ୍ଦ୍ରଗୁଡ଼ିକ ଜରିଆରେ ନାଗରିକମାନଙ୍କର ଯେଉଁ ତଥ୍ୟ ସବୁ ସଂଗ୍ରହ କରାଯାଉଛି ତାହା ଠିକ୍ ଭାବେ କରାଯାଉଛି । ଆଧାର ପଞ୍ଜୀକରଣ ପାଇଁ ୟୁଆଇଡିଏଆଇ ପକ୍ଷରୁ ବିଭିନ୍ନ ଏଜେନ୍ସିଙ୍କୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏଜେନ୍ସିମାନେ ଦେଶର ବିଭିନ୍ନ ସ୍ଥାନରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିଛନ୍ତି ।
ଏଜେନ୍ସିଗୁଡ଼ିକ ୟୁଆଇଡିଏଆଇ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହାର୍ଡଓୟାର ଏବଂ ସଫ୍ଟଓୟାର ବ୍ୟବହାର କରୁଛନ୍ତି । ସେମାନେ ସୁପରଭାଇଜର୍ ଏବଂ ଅପରେଟର ମୂତୟନ ମଧ୍ୟ କରୁଛନ୍ତି । ନାଗରିକମାନଙ୍କର ଯେଉଁ ତଥ୍ୟ ସଂଗ୍ରହ କରାଯାଉଛି ତାହାକୁ ସେମାନେ ୟୁଆଇଡିଏଆଇର ସର୍ଭର୍ରେ ଅପ୍ଲୋଡ୍ କରୁଛନ୍ତି । ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହାର ସୁରକ୍ଷା ବଳୟକୁ କେହି ଭେଦ କରିପାରିବେ ନାହିଁ ବୋଲି ୟୁଆଇଡିଏଆଇ ପକ୍ଷରୁ ବାରମ୍ବାର କୁହାଯାଉଛି। ବ୍ୟାଙ୍କ ଖାତା, ପାନ୍, ମୋବାଇଲ୍ ନମ୍ବର ଏବଂ ରାସନ୍ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କଲେ କ’ଣ ସବୁ ଲାଭ ମିଳିବ, ସେ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ ଏକ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Aadhar-mandatory-an-attempt-to-fight-terrorism-and-black-moneyprivacy-issues-bogus-says-SC-indialivetoday.jpg)