ସରକାରଙ୍କୁ ଶିକ୍ଷକଙ୍କ ଟେନସନ : ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ

195

କନକ ବ୍ୟୁରୋ : ସରକାରଙ୍କୁ ଶିକ୍ଷକଙ୍କ ଟେନସନ । ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ । ଆସନ୍ତା ୨୫ରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗତ ସେପ୍ଟେମ୍ବର ୫ ଗୁରୁଦିବସରେ କଳାବ୍ୟାଚ୍ ପିନ୍ଧି ନୀରବ ପ୍ରତିବାଦ କରିଥିଲେ ଏହି ଶିକ୍ଷକ ଶିକ୍ଷୟିତ୍ରୀ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ଦାବି ପୂରଣ ନହେବାରୁ ପୁଣି ଥରେ ୨୫ରୁ ଆନ୍ଦୋଳନ କରିବ ସଂଘ । ବିଦ୍ୟାଳୟ ଗୁଡ଼ିକରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା ଓ ଚାକିରି ସର୍ତାବଳୀରେ ତାରତମ୍ୟ ନରଖିବାକୁ ସଂଘ ଦାବି କରିଆସୁଛି । ଏହା ସହ ଖାଲି ଥିବା ଶିକ୍ଷକ ପଦବି ପୂରଣ କରିବା ସହ ଶିକ୍ଷାଦାନ ବ୍ୟତିତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା, ପେନସନ ଏବଂ ଅବସର ବୟସ ସୀମା ୬୨କୁ ବୃଦ୍ଧି ଆଦି ଦାବି ନେଇ ଆନ୍ଦୋଳନ କରିଆସୁଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଷ୍ଟା ।

ଆସନ୍ତା ୨୫ରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପରିଚାଳନା କମିଟିର ସଭ୍ୟ, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହା ସମାବେଶ ଓ ଅହୋରାତ୍ର ଧାରଣା ଦିଆଯିବ ବୋଲି ଓଷ୍ଟା କହିଛି । ଏପଟେ ପ୍ରାଥମିକ ଶିକ୍ଷକଙ୍କର ଦୁଇଟି ବଡ଼ ସଂଘ ପୁଣି ୨୬ରୁ ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ୨୫ରୁ ଓଷ୍ଟାର ଆନ୍ଦୋଳନ ସରକାରଙ୍କ ଆଗରେ ବଡ଼ ସମସ୍ୟା ହୋଇ ଠିଆ ହେବ । ଏହା ସହ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିପଡ଼ିବାର ଆଶଙ୍କା ବି ସୃଷ୍ଟି ହେଉଛି ।