ଆଗାମୀ ବଜେଟ ପାଇଁ ଅଙ୍କକଷା । କେଉଁ ସୂତ୍ରରୁ ଆସିବ କେତେ ଟଙ୍କା, କେମିତି ହେବ ଖର୍ଚ୍ଚ? ସରକାର କରୁଛନ୍ତି ଆୟ ବ୍ୟୟର ହିସାବ, ସାଧାରଣ ଜନତାଙ୍କ ଠାରୁ ବି ନିଆଯାଉଛି ପରାମର୍ଶ ।

268

କନକ ବ୍ୟୁରୋ : ଆସନ୍ତା ଆର୍ଥିକ ବର୍ଷରେ କଣ ରହିବ ସରକାରଙ୍କ ଆୟ ବ୍ୟୟର ହିସାବ ? କେମିତି ରହିବ ଆଗାମୀ ବଜେଟ୍ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । କେଉଁ ସୂତ୍ରରୁ କେତେ ଅର୍ଥ ଆସିବ ଆଉ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାକୁ ନେଇ ବଜେଟ ପ୍ରସ୍ତୁତ କରିବା ଉଦ୍ୟମ ଆରମ୍ଭ କରିଛି ରାଜ୍ୟ ଅର୍ଥ ବିଭାଗ । କେନ୍ଦ୍ର ସରକାରଙ୍କ ବଜେଟ ପରେ ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ହୋଇପାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ । ଏହା ପୂର୍ବରୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅର୍ଥନୈତିକ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି ।

ବଜେଟ୍ ପୂର୍ବରୁ ବୈଠକ ଚାଲିଛି । ବିଶେଷଜ୍ଞଙ୍କ ପରାମର୍ଶ ନେଉଛି ଅର୍ଥ ବିଭାଗ ।
– ବିଦ୍ୟୁତ୍ ଶୁଳ୍କ ଆଦାୟ କ୍ଷମତା କମ୍ପାନୀ ମାନଙ୍କ ବଦଳରେ ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଉ ।
– ବିଭିନ୍ନ ଶିଳ୍ପସଂସ୍ଥା ଉପରେ ବାକି ପଡିଥିବା ବିଦ୍ୟୁତ୍ ଶୁଳ୍କ ଓ ଜଳକରକୁ ଆଦାୟ କରିବାକୁ ଚେଷ୍ଟା କରନ୍ତୁ ସରକାର ।
– ଶାହା କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ମାଲିକଙ୍କ ଠାରୁ ଜରିମାନା ଅଦାୟ କରାଯାଉ ।
– ରାଜ୍ୟରେ ଆରମ୍ଭ ହୋଇଥିବା ଖଣି ନିଲାମ ପ୍ରକ୍ରିୟାକୁ ଶୀଘ୍ର ଶେଷ କରାଯିବା ପାଇଁ ପଦକ୍ଷେପ ନିଆଯାଉ ।
– ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ କରାଯାଉ, ଯାହା ଫଳରେ ଅନୁଦାନ ଖର୍ଚ୍ଚ କରାଯାଇ ପାରିବ ।
– ନୂଆ ଟିକସ ବଦଳରେ କେଉଁ କ୍ଷେତ୍ରରେ ଅଧିକ ଟିକସ ମିଳିପାରିବ ତାର ତର୍ଜମା କରାଯାଉ ।

ଆଗାମୀ ବଜେଟ ପାଇଁ ରାଜ୍ୟ ସରକାରଙ୍କୁ ଏମିତି କିଛି ପରାମର୍ଶ ଦେଇଛନ୍ତି ଅର୍ଥନିତୀ ବିଶେଷଜ୍ଞ । ବଜେଟର ରୂପରେଖ ତିଆରି କରିବା ପୂର୍ବରୁ ରାଜ୍ୟ ଅର୍ଥ ବିଭାଗ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୈତିକ ବିଶାରଦ ଓ ବ୍ୟାଙ୍କରଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି ।

ରାଜସ୍ୱ ବୃଦ୍ଧି କରିବା ସହ, ଅର୍ଥକୁ ସଠିକ୍ ଢଙ୍ଗରେ ଖର୍ଚ୍ଚ କରିବା ରାଜ୍ୟ ସରକାରଙ୍କ ପାଇଁ ଆଗାମୀ ଦିନରେ ବଡ ଚ୍ୟାଲେଂଜ ହେବ । ବିଭିନ୍ନ ବିଭାଗୀୟ ସଚିବଙ୍କ ମିଳିତ ବୈଠକରେ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରାଯାଇଛି ।
– ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ୍ ବଜେଟର ୪୯% ଅର୍ଥ ଖର୍ଚ୍ଚ ହୋଇପାରିଛି
– ସେହିପରି ୨୦୧୯-୨୦ ନଭେମ୍ବର ମାସ ସୁଦ୍ଧା ବଜେଟର ୫୩% ଅର୍ଥ ଖର୍ଚ୍ଚ ହୋଇଛି
– ଖଣି କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ଉଦବେଗଜନକ ଭାବେ ହ୍ରାସ ପାଇଛି
– ଭୂ- ରାଜସ୍ୱ ସଂଗ୍ରହରେ ମଧ୍ୟ ହ୍ରାସ ଲକ୍ଷ୍ୟ କରାଯାଇଛି
– ଭାଟ୍, ମୋଟରଜାନ ଟିକସ ଓ ବିଦ୍ୟୁତ୍ ଶୁଳ୍କ ସଂଗ୍ରହ ମଧ୍ୟ ଆଶାନୁରୂପ ହୋଇପାରିନାହିଁ

ଏହାରି ଭିତରେ ଆସନ୍ତା ମାସରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । କେନ୍ଦ୍ର ବଜେଟର ରୂପରେଖ ଉପରେ ନିର୍ଭର କରୁଛି ରାଜ୍ୟ ବଜେଟ୍ । କିନ୍ତୁ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଥିବା ଆର୍ଥିକ ମାନ୍ଦାବସ୍ଥା,ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ସହ ଅଭିବୃଦ୍ଧି ହାର ହ୍ରାସ ଯୋଗୁ ଏଥର ରାଜ୍ୟକୁ କେନ୍ଦ୍ର ଅନୁଦାନ କମିଯିବା ନେଇ ମଧ୍ୟ ଆଶଙ୍କା ରହିଛି ।