ଭାରତ ଆଣିବ କରୋନା ଔଷଧ ! ହାଇଦ୍ରାବାଦରେ ବିକଶିତ ହେଉଛି ଭୂତାଣୁ ପ୍ରତିରୋଧକ ଉପାଦାନ, ‘ଫାବିପିରାଭିର’ କରିବ କି ଚମତ୍କାର?

2,733

କନକ ବ୍ୟୁରୋ: ଭାରତ ଆଣିବ କରୋନା ଔଷଧ । ହାଇଦ୍ରାବାଦରେ ବିକଶିତ ହେଉଛି କରୋନା ବିରୋଧରେ ସଫଳ ହୋଇଥିବା ଔଷଧର ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଭାରତରେ ମଧ୍ୟ ସିପ୍ଲା କମ୍ପାନି ପାଇଁ ଆଇଆଇସିଟି ଏହି ଉପାଦାନ ପ୍ରସ୍ତୁତ କରୁଛି । ତେଣୁ ଭାରତରେ କରୋନାର ମୁକାବିଲା ପାଇଁ ଏକ ଉପାଦେୟ ଔଷଧ ପ୍ରସ୍ତୁତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

କରୋନାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପ୍ରୟୋଗାତ୍ମକ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି ଡାକ୍ତର । ଆମେରିକାର ଏକ ପ୍ରତିଷ୍ଠିତ ଔଷଧ କମ୍ପାନି ଗିଲିଡ ସାଇନ୍ସେସ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିରକୁ କରୋନା ବିରୋଧରେ ଏକ ସଫଳ ଔଷଧ ବୋଲି କୁହାଯାଉଛି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ଉପରେ ଏହାକୁ ପ୍ରୟୋଗ କରି କେତେକାଂଶରେ ସଫଳତା ମଧ୍ୟ ମିଳିଛି । ଅନ୍ୟଏକ ଔଷଧ ପ୍ଲାସେବୋ ପ୍ରୟୋଗ ଫଳରେ କରୋନା ଆକ୍ରାନ୍ତ ୧୫ ଦିନରେ ସୁସ୍ଥ ହେଉଥିବାବେଳେ ରେମଡିସିଭିର ପ୍ରୟୋଗରେ ୧୧ ଦିନରେ ସୁସ୍ଥ ହେଉଛନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗିଲିଡ ସାଇନ୍ସେସ ପ୍ରସ୍ତୁତ କରିଥିବା ରେମଡିସିଭିରରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହାଇଦ୍ରାବାଦରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜିରେ ବିକାଶ କରାଯାଉଛି । ଭାରତରେ ମଧ୍ୟ ସିପ୍ଲା କମ୍ପାନି ପାଇଁ ଆଇଆଇସିଟି ଏହି ଉପାଦାନ ପ୍ରସ୍ତୁତ କରୁଛି । ତେଣୁ ଭାରତରେ କରୋନାର ମୁକାବିଲା ପାଇଁ ଏକ ଉପାଦେୟ ଔଷଧ ପ୍ରସ୍ତୁତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

କରୋନା ଔଷଧ ପ୍ରସ୍ତୁତି ପାଇଁ ଗିଲିଡ ସାଇସେନ୍ସ ନିକଟରେ ପ୍ୟାଟେଂଟ ବା ସତ୍ୱାଧିକାର ରହିଛି । ହେଲେ କେବଳ ଗବେଷଣା ପ୍ରସଙ୍ଗରେ ଏହି ଅଧିକାର ରହିଥିବାବେଳେ ଔଷଧର ବ୍ୟବସାୟିକ ଉତ୍ପାଦନ ପାଇଁ ଅନୁମତି ମିଳିନାହିଁ । ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତରେ ଘରୋଇ କମ୍ପାନି ସହ ମିଶି ଫାବିପିରାଭିର ନାଁରେ ଏକ କରୋନା ଔଷଧ ପ୍ରସ୍ତୁତ କରିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜ କାମ ଆରମ୍ଭ କରିସାରିଛି । ଔଷଧ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆଇଆଇସିଟି ନିକଟରେ ରହିଛି । ଅନ୍ୟ ଅତ୍ୟାବଶ୍ୟକ ଉପାଦାନ ପାଇଁ ଅନ୍ୟଦେଶ ସହିତ ଯୋଗାଯୋଗ କରାଯିବ ।

ସେହିପରି ଗିଲିଡ ସାଇନ୍ସେସକୁ ରୟାଲିଟି ଦେଇ ଭାରତୀୟ କମ୍ପାନି ମଧ୍ୟ ଏହି କରୋନା ଔଷଧ ଉତ୍ପାଦନ କରିପାରିବେ ବୋଲି ବିଶେଷଜ୍ଞ କହିଛନ୍ତି । ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଔଷଧ ବିକାଶ ପାଇଁ ସହମତି ରହିଥିବାବେଳେ ଆବଶ୍ୟକ ସ୍ଥଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ହସ୍ତକ୍ଷେପ କରିପାରିବ । ତେଣୁ ଆମେରିକାରେ ରେମଡିସିଭିର ପରି ଭାରତରେ ଖୁବଶୀଘ୍ର କରୋନା ବିରୋଧରେ ପ୍ରୟୋଗ ପାଇଁ ଫାବିପିରାଭିର ଭଳି ଔଷଧ ପ୍ରସ୍ତୁତ ହୋଇପାରିବ ବୋଲି ଅନୁମାନ କରାଯାଉଛି ।