୨୦୦୦ ସାଇକେଲ କିଣାଯାଇଥିଲା, ଏବେ ୧୦୦୦ ଚାଲୁଛି । ମୋ ସାଇକେଲକୁ ନେଇ  ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

235

କନକ ବ୍ୟୁରୋ : କିଛି ଦିନ ପୂର୍ବେ ମୋ ସାଇକେଲକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ମୋ ସାଇକେଲକୁ କବାଡିଆଙ୍କୁ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଆଉ ଆଜି ଗୃହରେ ମୋ ସାଇକେଲ ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର ସ୍ମାର୍ଟସିଟି ମାଧ୍ୟମରେ କେଉଁ ସଂସ୍ଥାଠାରୁ, କେତୋଟି ସାଇକେଲ ଓ ଗୋଟାକୁ କେତେ ଟଙ୍କାରେ କିଣାଯାଇଛି? ଏହାବାଦ୍ କିଣାଯାଇଥିବା ସାଇକେଲ ଗୁଡିକରୁ କେତୋଟି କାର୍ଯ୍ୟକ୍ଷମ ରହିଛି ଓ ରକ୍ଷାଣବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ସବୁଠୁ ବଡ କଥା ହେଲା, କେତୋଟି ସାଇକେଲ ଚୋରୀ ହୋଇଛି ଓ କେତୋଟି କବାଡିଆଙ୍କୁ ବିକ୍ରି ହୋଇଛି ତାହାର ଉତ୍ତର ଜାଣିବାକୁ ଚାହିଁଥିଲେ ସୁର ରାଉତରାୟ ।

ଆଉ ସୁରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସପିଭି ଦ୍ୱାରା ୨୦୧୮ରେ କ୍ରୁଟ ମାଧ୍ୟମରେ ୩ଟି ସଂସ୍ଥା ଠାରୁ ପ୍ରତ୍ୟେକ ସାଇକେଲ ପିଛା ୨୫ ହଜାର ଟଙ୍କା ମୂଲ୍ୟରେ ୨୦୦୦ଟି ସାଇକେଲ କିଣାଯାଇଥିଲା । ସେହି ମଧ୍ୟରୁ ଏବେ ୧୦୦୦ଟି ସାଇକେଲ କାର୍ଯ୍ୟକ୍ଷମ ଥିବା ବେଳେ ଅବଶିଷ୍ଟ ୧୦୦୦ ସାଇକେଲର ରକ୍ଷାଣବେକ୍ଷଣ ତଥା ମରାମତି ଚାଲିଛି । ଜନସାଧାରଣଙ୍କ ଦ୍ୱାରା ଏହା ବେଶ ଆଦୃତ ହୋଇଥିବାରୁ ଏହି ଯୋଜନା ବିଫଳ ହୋଇନାହିଁ ।

ଏହାଛଡା ରକ୍ଷାଣବେକ୍ଷଣ ବାବଦକୁ ସାଇକେଲ କିଣାଠାରୁ ଏବେଯାଏଁ ଦୁଇଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଧରଣୀ ଏଣ୍ଟରପ୍ରାଇଜର୍ସକୁ ୨୯.୫୦ ଲକ୍ଷ ଟଙ୍କା ଓ ୟୁଲୁ ବାଇକସ ପ୍ରାଇଭେଟ ଲିମିଟେଡକୁ ୨୯.୫୦ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାବାଦ୍ କୌଣସି ସାଇକେଲ ଚୋରି କିମ୍ବା କବାଡିଆକୁ ବିକ୍ରି କରାଯିବାର ତଥ୍ୟ ସରକାରଙ୍କର ହସ୍ତଗତ ହୋଇନାହିଁ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।