କୃଷକ ଆନ୍ଦୋଳନକୁ ନେଇ ପୁଣି କୃଷକ ସଂଗଠନଙ୍କ ନିକଟକୁ ଚିଠି ଲେଖିଲେ ସକରାର । କୃଷକ ସଂଗଠନ କହିଲା ଆଲୋଚନା ପାଇଁ ପ୍ରସ୍ତୁତ , ହେଲେ ଦରକାର ସ୍ଥାୟୀ ସମାଧାନ

120

କନକ ବ୍ୟୁରେ : ଆଜି କୃଷକ ଆନ୍ଦୋଳନକୁ ପୂୁରିଲା ୨୮ ଦିନ । ଦିଲ୍ଲୀର ବିଯୁକ୍ତ ତାପମାତ୍ରା, ଖୋଲା ସଡକ ଅବ୍ୟବସ୍ଥିତ ଜୀବନ ଭିତରେ ଲକ୍ଷ ଲକ୍ଷ କୃଷକ । ହକ୍ ପାଇଁ ହତାସ ନହୋଇ ଦୃଢତାର ସହିତ ବସି ରହିଛନ୍ତି । ଆଉ ହିଂସା ନୁହେଁ ମଉଜ ମସ୍ତିରେ ସେମାନଙ୍କ ହକ୍ ନେଇ ଘରକୁ ଫେରିବେ ବୋଲି ଜିଦରେ ଅଟଳ ଅଛନ୍ତି । ଏହାରି ମଧ୍ୟରେ ୨୮ ଦିନ ବିତି ଯାଇଛି । ଏନେଇ ସରକାର ଓ କୃଷକଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଛି । ହେଲେ ସବୁଥର ଆଲୋଚନା ଫେଲ୍ ହୋଇଛି ।

ଅନ୍ୟପଟେ ଏବେ ଏମାନଙ୍କର ଜିଦ୍ ଆଗରେ ସରକାର ମୁଣ୍ଡ ନୁଅାଁଇବାକୁ ବାଧ୍ୟ ହେବେ ବୋଲି ଅନୁମାନ କରାଯାଉଛି । ବିଜେପି ଦ୍ୱାରା ଆୟୋଜନ କରାଯାଉଥିବା କୃଷକ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହାତଯୋଡି କୃଷକଙ୍କୁ ନୂଆ ବିଲକୁ ଗ୍ରହଣ କରିନେବାକୁ ଅନୁରୋଧ କରୁଛନ୍ତି ।

ଏହାରି ମଧ୍ୟରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ମାନଙ୍କୁ ଆଲୋଚନା ଲାଗି ପୁଣି ଥରେ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ଆନ୍ଦୋଳନ ଚଳାଇଥିବା ୪୦ ଟି କୃଷକ ସଂଗଠନର ନେତାଙ୍କୁ ଆଲୋଚନାରେ ସାମିଲ ହେବାକୁ ପତ୍ର ଲେଖିଛନ୍ତି । ସେ ତାଙ୍କ ପତ୍ରରେ ଲେଖିଛନ୍ତି କି ସରକାରଙ୍କ ପୂର୍ବ ସଂଶୋଧନ ପ୍ରସ୍ତାବ ଆଧାରରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଉ । ଅନ୍ୟପଟେ ସରକାରଙ୍କ ଚିଠି ଉପରେ କୃଷକ ନେତା ମାନେ କହିଛନ୍ତି କି ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ, ମାତ୍ର ସରକାର ସେମାନଙ୍କ ଦାବିର ସ୍ଥାୟୀ ସମାଧାନ କରିବା ଦରକାର । ଏନେଇ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଯେଉଁ ଚିଠି ଏବେ ଲେଖିଛନ୍ତି ସେଥିରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ କୁହାଯାଇଛି । ହେଲେ ଆନ୍ଦୋଳନରତ ଚାଷୀ ମାନେ ସେମାନଙ୍କ ଦାବି ଉପରେ ସରକାରଙ୍କ ଠାରୁ ସ୍ଥାୟୀ ସମାଧାନ ଚାହୁଁଛନ୍ତି ।

କହିରଖୁ କି ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବାତିଲ କରାଯାଇଥିଲା । ଏହାପରେ ଅମିତ୍ ଶାହାଙ୍କ ସହ ହୋଇଥିବା ବୈଠକରେ ସରକାର କୃଷି ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ସଂଶୋଧନ ପ୍ରସ୍ତାବକୁ କୃଷକ ସଂଗଠନ ମାନେ ଅଗ୍ରାହ୍ୟ କରିବା ସହିତ ଆଲୋଚନାରୁ ଓହରି ଯାଇଥିଲେ । ଏନେଇ କୃଷକ ନେତା ଅଭିମନ୍ୟୁ କୋହର କହିଛନ୍ତି କି ସରକାର ଯେଉଁ ଚିଠି ଲେଖିଛନ୍ତି ସେଥିରେ କିଛି ନୂଆ କଥା ନାହିଁ । କୃଷକ ମାନେ ସମ୍ପୁର୍ଣ୍ଣ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି । ସେହିଭଳି ଅଲ୍ ଇଣ୍ଡିଆ କିଷାନ ସମିତି ପଞ୍ଜାବର ସହକାରୀ ସଂପାଦକ କାଶ୍ମୀର ସିଂହ କହିଛ୍ତି ଯେ ସରକାର ପୁଣିଥରେ ଆଲୋଚନା ପାଇଁ ଡାକିବାର କୌଣସି ମୂଲ୍ୟ ନାହିଁ । ଅନ୍ୟପଟେ ସରକାରଙ୍କ ଚିଠି ଉପରେ ମଙ୍ଗଳବାର ଦିନ କୃଷକ ସଂଗଠନ ମାନେ ଆଲୋଚନା କରି ନିଷ୍ପତ୍ତି ସରକାରଙ୍କୁ ଜଣାଇଦେବେ ବୋଲି ସେ କହିଛନ୍ତି ।