ଦୈନିକ ୩୦୦ ରୁ ଅଧିକ ଲୋକ ଛାଡୁଛନ୍ତି ଭାରତୀୟ ନାଗରିକତା, ୫ ବର୍ଷରେ ୬ ଲକ୍ଷରୁ ଅଧିକ ଲୋକ ନାଗରିକତା ଛାଡିଥିବା ନେଇ ଖବର

842

କନକ ବ୍ୟୁରୋ : ଗତ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଭାରତୀୟ ନିଜର ନାଗରିକତା ଛାଡି ସାରିଛନ୍ତି । ଅର୍ଥାତ ଦୈନିକ ୩୦୦ ଲୋକ ଭାରତୀୟ ନାଗରିକତା ଛାଡୁଛନ୍ତି । ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ସୂଚନା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଦେଇଛନ୍ତି । ମଙ୍ଗଳବାର ଦିନ ସେ ସଂସଦରେ କହିଛନ୍ତି କି ପୂର୍ବ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ଛାଡି ସାରିଛନ୍ତି । ସେ ଆହୁରି କହିଛନ୍ତି କି,ବିଦେଶ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ମୁତାବକ ମୋଟ ୧,୩୩,୮୩,୭୧୮ ଜଣ ଭାରତୀୟ ନାଗରିକ ବିଦେଶରେ ରହୁଛନ୍ତି ।

ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି କି ୨୦୧୭ ରେ ୧,୩୩,୦୪୯ ଜଣ ଭାରତୀୟ ନାଗରିକ ଛାଡିଥିଲେ । ସେହିଭଳି ୨୦୧୮ ରେ ୧,୪୪,୦୧୭ , ୨୦୨୦ ରେ ୮୫,୨୪୮ ଓ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧,୧୧,୨୮୭ ଜଣ ଭାରତୀୟ ନାଗରିକତା ଛାଡିଛନ୍ତି । ଏନେଇ ତୃଣମୂଳ କଂଗ୍ରେସ ସାଂସଦ ମାଲା ରାୟ ପଚାରିଥିଲେ କି ଏବେ ଦେଶରେ ନାଗରିକତା କାନୁନ ଲାଗୁ କରିବା ନେଇ ସରକାର କେତେ ଅଗ୍ରସର ହୋଇଛନ୍ତି । ଏହାର ଉତ୍ତର ଦେଇ ନିତ୍ୟାନନ୍ଦ ରାୟ କହିଛନ୍ତି କି ସରକାର ରାଷ୍ଟ୍ରୀୟ ସ୍ତରରେ ଭାରତୀୟ ନାଗରିକଙ୍କ ରାଷ୍ଟ୍ରୀୟ ପଞ୍ଜିକରଣ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି ।

ଗୃହରାଜ୍ୟ ମନ୍ତ୍ରୀ ଲୋକସଭାରେ କହିଛନ୍ତି କି ପୂର୍ବ ୫ ବର୍ଷ ମଧ୍ୟରେ ୧୦,୬୪୫ ଜଣ ଲୋକ ଭାରତୀୟ ନାଗରିକତା ପାଇବାକୁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୧୭୭ ଜଣଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ପାକିସ୍ତାନର ସର୍ବାଧିକ ୭୯୫ ଜଣ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି ।