ବିଶାଳ ଚାଷୀ ଆନ୍ଦୋଳନ ଆଗରେ ନଇଁଲା କେନ୍ଦ୍ର: ତୁରନ୍ତ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସୂଚନା

ଅମିତ ଶାହା କହିଲେ, ସବୁ ଦାବି ନେଇ କରାଯିବ ସମୀକ୍ଷା

128

କନକ ବ୍ୟୁରୋ: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଥିବା ବେଳେ ଆନ୍ଦୋଳନ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଏ ନେଇ ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ଚାଷୀଙ୍କ ସବୁ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ । ଡିସେମ୍ବର ୩ରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଅମିତ ଶାହା । ଯଦି ଏହା ପୂର୍ବରୁ ଆଲୋଚନା କରିବାକୁ ଚାଷୀ ଚାହାନ୍ତି, ତେବେ ସରକାର ଯେଉଁ ସ୍ଥାନକୁ ଚୂଡାନ୍ତ କରିଛନ୍ତି, ସେଠାରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଦିଲ୍ଲୀ ସିଂଘୁ ସୀମାରେ ଜମିବାରେ ଲାଗିଛି ହଜାର ସଂଖ୍ୟକ ଚାଷୀଙ୍କ ଭିଡ । ଯେପର୍ଯ୍ୟନ୍ତ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନାହାନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରୋକଠୋକ କହିଛନ୍ତି ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବରେ ଆନ୍ତରିକତା ନାହିଁ ଏହା ଲୋକଦେଖାଣିଆ ବୋଲି କହିଛନ୍ତି ଆନ୍ଦୋଳନରତ ଚାଷୀ ।

କହିଛନ୍ତି ଲମ୍ବା ଲଢେଇ ପାଇଁ ସେମାନେ ଦିଲ୍ଲୀକୁ ଆସିଛନ୍ତି ଓ ଲମ୍ବା ଆନ୍ଦୋଳନ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଆଲୋଚନା ପ୍ରସ୍ତାବ ନେଇ ଆଜି ଦିଲ୍ଲୀ-ହରିଆଣ ସିଂଘୁ ସୀମାରେ ଚାଷୀ ସଂଗଠନର ବୈଠକ ହେବ ଓ ଏଥିରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ସରକାର ନିରଙ୍କରୀ ଗ୍ରାଉଣ୍ଡରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ପାଇଁ ଚାଷୀଙ୍କୁ ଅନୁମତି ଦେଇଥିଲେ ସୁଦ୍ଧା ଏହାକୁ ମାନିବାକୁ ନାରାଜ ଚାଷୀ ନେତା ।