କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା। ବାତ୍ୟା ମୁକାବିଲା ନେଇ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାରେ ୧୮ ଜିଲ୍ଲାର ୨୦୯ ବ୍ଲକ ଓ ୭୭ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ସମସ୍ତ ବ୍ଳକ୍ ଏବଂ ପୌର ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଏବଂ ବର୍ଷାର ପରିମାଣ ମାପିବା ପାଇଁ ଯନ୍ତ୍ର ଲଗାଯିବା। ଆଜି ସମୀକ୍ଷାରେ ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ। ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଠାରେ ବିଦ୍ୟୁତ, ପିଇବା ପାଣି, ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଖାଲୁଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା ହୋଇଛି। ବାତ୍ୟା ପାଇଁ ପିଇବା ପାଣି ପାଇଁ କେମିତି ଅସୁବିଧା ହେବ ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ବିଦ୍ୟୁତ କଟିଲେ ଜେନେରେଟର ଯୋଗାଡ଼ କରି ରଖାହେବ। ସରକାର ମୁକାବିଲା ପାଇଁ ସଂପୁର୍ଣ୍ଣ ପ୍ରସ୍ତୁତ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ । ୩୦ ଜିଲ୍ଲାରେ ୩୩୯ଟି ଫାୟାର ଷ୍ଟେସନ ରହିଛି । ଭୁବନେଶ୍ୱରରେ ୧୭୫ଟି ସ୍ପେଶାଲ ୟୁନିଟ୍ ସଜାଗ ରହିଛି । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ପ୍ରିନ୍ସିପାଲ ରମେଶ ମାଝୀ ।
ଏସବୁ ଭିତରେ ଓଡ଼ିଶାକୁ ବାତ୍ୟା ବିପଦ ନଥିବା କହିଛନ୍ତି ଆଇଏମଡି ସାଇକ୍ଲୋନ ସେଂଟର ମୁଖ୍ୟ ଆରକେ ଜେନାମଣି । ତାଙ୍କ କହିବା ଅନୁଯାୟୀ, ଓଡ଼ିଶା ଉପକୂଳ ଛୁଇଁନପାରେ ବାତ୍ୟା । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳ ଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି । ତେବେ ତାଜା ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରଟି ଅବପାତର ରୂପ ନେଇ ସାରିଛି । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୧୦ ତାରିଖ ସଂଧ୍ୟା ଯାଏଁ ଏହା ଉତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଂଚିବ । ପରେ ଗତିପଥ ବଦଳାଇବ । ଉତର-ଉତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ । ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ଏପରିକି ଏହା ଉପକୂଳ ଦେଇ ସମାନ୍ତରାଳ ଭାବେ ଗତି କରିପାରେ ।