ତୈଳଦର ବୃଦ୍ଧି ପରେ ବେହାଲ ସାଧାରଣ ଜନତା । ସେପଟେ ଦାମ୍ କମାଇବାକୁ ସରକାର କରୁଛନ୍ତି ଯୋଜନା । ରାଜ୍ୟ ସରକାର ଓ ତୈଳ କମ୍ପାନୀ ମାନଙ୍କ ସହ ଚାଲିଛି ଆଲୋଚନା

337

କନକ ବ୍ୟୁରୋ : ଦେଶରେ ତୈଳଦର ଏବେ ଆକାଶଛୁଆଁ । କରୋନା ମହାମାରୀ ବେଳେ ତୈଳଦର ୩୦ ପ୍ରତିଶତ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକମାନେ ଏବେ ମହଙ୍ଗାମାଡରେ ଶିକାର ହେଉଛନ୍ତି । ଏହାକୁ ନେଇ ଚାରିଆଡେ ଜନଅସନ୍ତୁଷ ଦେଖା ଦେଉଛି । ଏହାସହ ବିରୋଧୀଦଳ ମାନେ ବି ରାଜରାସ୍ତାରେ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ତୈଳମୂଲ୍ୟ କଭଳି ହ୍ରାସ କରାଯାଇପାରିବ ସେ ନେଇ ଚିନ୍ତା କରୁଛନ୍ତି । କହିରଖୁ କି ଗତ କିଛିଦିନ ହେବ ଲଗାତର ଭାବେ ତୈଳଦର ବଢିବାରେ ଲାଗିଛି । ଦେଶର କିଛି ପ୍ରମୂଖ ସହରରେ ତୈଳ ଦର ସେଂଚୁରୀ ମାରିଛି । ହେଲେ ୩୬ ଟଙ୍କାର ପେଟ୍ରୋଲ ଉପରେ ୫୫ ଟଙ୍କା ଟିକସ ଲଗାଇ ସରକାର କାହାର ବିକାଶ କରୁଛନ୍ତି ବୋଲି ବିରୋଧୀ ମାନେ ପ୍ରଶ୍ନ କରିଛନ୍ତି ।

ଏପରିସ୍ଥଳେ କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବାକୁ ବିଚାର ବିମର୍ଷ ଆରମ୍ଭ କରିଛନ୍ତି । ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ, ରାଜ୍ୟସରକାର ଓ ତୈଳ କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ଏହି ଆଲୋଚନାରେ ଟିକସ ରିହାତି କରି ଲୋକମାନଙ୍କୁ କିଛି କମ୍ ଦାମରେ ତୈଳ ଯୋଗାଇ ଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।

ସଂପ୍ରତି ପେଟ୍ରୋଲ ଦାମରେ ୬୦ ପ୍ରତିଶତ ଅଂଶ କେବଳ ବିଭିନ୍ନ ଟିକସ ବାବଦରେ ରହିଛି । ୩୬ ଟଙ୍କାର ପେଟ୍ରୋଲ ଉପରେ ଟିକସ ମାଡ କରି ସରକାର ସାଧାରଣ ଲୋକଙ୍କ ଠାରୁ ୯୧ ଟଙ୍କା ଆଦାୟ କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଟିକସ ରିହାତି ଏକମାତ୍ର ରାସ୍ତା । ଯାହାକି ମାର୍ଚ୍ଚ ୧୫ ସୁଦ୍ଧା କେନ୍ଦ୍ରସରକାର ଟିକସ ରିହାତି କରି ଲୋକମାନଙ୍କୁ ମହଙ୍ଗା ମାଡରୁ ରକ୍ଷା କରିପାରନ୍ତି ବୋଲି ଆଶା କରାଯାଉଛି ।