କନକ ବ୍ୟୁରୋ : ସରକାର ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦୁଇବର୍ଷ ବିଳମ୍ବରେ ଏବେ ସରକାର ଏହାକୁ ବିକ୍ରି କରିବାକୁ ଯାଉଛନ୍ତି । ସରକାରୀ କମ୍ପାନୀ ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ଦେଶର ତୃତୀୟ ବୃହତ କମ୍ପାନୀ ଭାବେ ପରିଗଣିତ । ସିପିଂ କମ୍ପାନୀର ଘରୋଇକରଣକୁ ନେଇ ଖବର ଆସିବା ପରେ ଏହାର ସେୟାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି ।

Advertisment

ରୟଟର୍ସର ରିପୋର୍ଟ ମୁତାବକ ସରକାର ମେ’ମାସ ୧୫ ତାରିଖ ମଧ୍ୟରେ ଏହାକୁ ବିକ୍ରି କରିବା ନେଇ ନିଲାମ ଡାକିବାକୁ ଯୋଜନା କରୁଛନ୍ତି । ହେଲେ ଅଧିକାରୀ ଭାବେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଏପ୍ରିଲ ୧୪ ତାରିଖରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବ । ସୂଚନା ଥାଉକି ୨୦୧୯ ମସିହାରେ ଆର୍ଥିକ ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆକୁ ବିକ୍ରି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଥିଲେ । ମାତ୍ର କରୋନା କଟକଣା ପାଇଁ ଏହାର ପ୍ରକ୍ରିୟା ଆଗକୁ ବଢିପାରି ନଥିଲା ।

କହିରଖୁ କି ଭାରତୀୟ ନୌବାହନ ନିଗମ ଲିମିଟେଡ ବା ଏସସିଏଲର ସ୍ଥାପନା ୧୯୬୧ ମସିହା ଅକ୍ଟୋବର ୨ ତାରିଖରେ ହୋଇଥିଲା । ୧୯୯୨ ସେପ୍ଟେମ୍ବର ୧୮ ତାରିଖରେ କମ୍ପାନୀର ମାନ୍ୟତା ପ୍ରାଇଭେଟ ଲିମିଟେଡରୁ ବଦଳାଇ ପବ୍ଲିକ ଲିମିଟେଡ କରିଦିଆଯାଇଥିଲା । ୨୦୦୦ ମସିହା ଫେବୃଆରୀ ୨୪ ତାରିଖରେ ଏହି କମ୍ପାନୀକୁ କେନ୍ଦ୍ର ସରକାର ‘ମିନି ରତ୍ନ’ ପୁରସ୍କାରରେ ପୁରସ୍କୃତ କରିଥିଲେ ।