ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ ସରକାରଙ୍କ ଯୋଜନା

361

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାର କହିଛନ୍ତି କି, ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଡେରିରେ ଚିକିତ୍ସା କାରଣରୁ ହୋଇଥାଏ । ଏହି ଗମ୍ଭୀର ବିଷୟକୁ ଧ୍ୟାନରେ ରଖି ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛନ୍ତି । ଏନେଇ ପ୍ରଥମରୁ ସରକାର ମଟୋର ଭେଇକିଲ ନିୟମର ପରିବର୍ତ୍ତନ କରିସାରିଛନ୍ତି । ପରିସଂଖ୍ୟାନ ମୁତାବକ ଗତବର୍ଷ ୪.୪୬ ଲକ୍ଷ ସଡକ ଦୁର୍ଘଟଣା ହୋଇଛି । ଏଥିରେ ୪.୨୩ ଲକ୍ଷ ଲୋକ ଆହତ ହୋଇଛନ୍ତି ଓ ୧.୭୧ ଲୋକଙ୍କର ମୃତ୍ୟୁ ହୋଇଛି ।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ । ଆଗାମୀ ୪ମାସ ମଧ୍ୟରେ ସାରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କର୍ଯ୍ୟକ୍ରମରେ କହିଛନ୍ତି କି, ସଡକ ଦୁର୍ଘଟଣାରେ ଦେଶରେ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ନିଶ୍ଳୁକ ଓ କ୍ୟାସଲେସ ଚିକିତ୍ସା ଭାରତୀୟ ମୋଟର ଯାନ ଆଇନରେ ରହିଛି । ଏବେ ଏହି ନିୟମର ପାଳନ କିଛି ରାଜ୍ୟରେ କରାଯାଉଛି । ହେଲେ ଆଗାମୀ ୪ ମାସ ମଧ୍ୟରେ ଏହା ଦେଶର ପ୍ରତିଟି ରାଜ୍ୟରେ ଲାଗୁ ହେବ । ଏନେଇ ମନ୍ତ୍ରଣାଳୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିକଟରେ ଆବେଦନ କରାଯାଇଛି ।

ସେପଟେ ସଡକ ସୁରକ୍ଷା ନେଇ ସଚେତନ କରିବାକୁ ସରକାର ରୋଡ ସେଫ୍ଟି କୋର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ଖୁବଶୀଘ୍ର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ ହେବ । ଏହାସହ ଭାରତ ଏନକ୍ୟାପ ବି ଲାଗୁ ହେବ । ଏଥିରେ ସିଟ୍ ବେଲ୍ଟ ରିମାଇଣ୍ଡର ଓ ଗାଡିର କିଛି ଟେକ୍ନୋଲୋଜୀରେ ପରିବର୍ତ୍ତନ କରାଯିବ ।