ବେସରକାରୀ ଚାକିରି ସରକାରୀ ଦଲାଲ : ଜାଣନ୍ତୁ ଅସ୍ଥାୟୀ ଚାକିରି ପାଇଁ କେମିତି ହେଉଛି ମୋଟା ଅଙ୍କର ଲାଞ୍ଚ କାରବାର

222

କନକ ବ୍ୟୁରୋ : ବେସରକାରୀ ଚାକିରି ସରକାରୀ ଦଲାଲ । କନକ ନ୍ୟୁଜ ହାତରେ ଛୋଟ ଚାକିରି ପାଇଁ ବଡ ନୋଟ କାରବାରର ଏକ୍ସକ୍ଲୁସିଭ ଦସ୍ତାବିଜ । ଗୋଟିଏ ପଟେ ରାଜ୍ୟ ସରକାର ଚୁକ୍ତି ଭିତିକ ନିଯୁକ୍ତି ଉଚ୍ଛେଦ କଥା କହୁ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୁର୍ଣ ବିଭାଗରେ ଆଉଟ ସୋର୍ସିଙ୍ଗ ମାଧ୍ୟମରେ ବେଧଡ଼କ ନିଯୁକ୍ତି ଜାରି ରହିଛି । ତେବେ ଏହି ପଦ ପଦବୀ ଗୁଡିକ ଲାଗି ବେଧଡକ ଭାବେ ଲାଞ୍ଚ କାରବାର ହେଉଥିବା ନେଇ କନକ ନ୍ୟୁଜ ହାତରେ ଲାଗିଛି ପ୍ରମାଣ । ଛୋଟ ଛୋଟ ପଦ ପଦବୀ ଲାଗି କେମିତି ମୋଟା ଅଙ୍କର ଅର୍ଥ କାରବାର ହେଉଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଆଉ ଏହି ବେସରକରୀ ଚାକିରି ପାଇଁ ଖୋଦ ସରକାରୀ ବାବୁ ମାନେ ଦଲାଲ ସାଜି ମୋଟା ଅଙ୍କ ଆଦାୟ କରୁଛନ୍ତି । ମାଲାକନଗିରି ଜିଲ୍ଲାରେ ସ୍ୱସ୍ଥ୍ୟ ବିଭାଗରେ ଆଟେଣ୍ଡାଂଟ, ଏଏନଏମ ଷ୍ଟାଫ ନର୍ସ ପରି ୬ଟି ବିଭାଗରେ ବିଭିନ୍ନ ପଦପଦବୀ ଲାଗି ଆଉଟ ସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଆହ୍ୱାନ କରା ଯାଇଥିବାବେଳେ ଏବେ ନିରୀହ ଆଦିବାସୀ ଗରିବ ପିଲାଙ୍କ ଠାରୁ ୬୦ହଜାର ଠାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ଲାଞ୍ଚ କରବାରର ଏକ୍ସକ୍ଲୁସିଭ ଅଡିଓ ଏବେ କନକ ନ୍ୟୁଜ ହାତରେ ଲାଗିଛି । ଏଥିପାଇଁ ରିତିମତ ଭାବେ ଏକ ପ୍ରାଇସ ଲିଷ୍ଟ ପ୍ରସ୍ତୁତ ହୋଇଛି । ୩୦ହଜାର ଟଙ୍କାରୁ ଲାଞ୍ଚ କାରବାର ଆରମ୍ଭ ହୋଇ ଦେଢ ଲକ୍ଷ ପାଖାପାଖିରେ ପହଞ୍ଚିଛି । ପ୍ରଥମେ ନଜର ପକାନ୍ତୁ କେଉଁ ପୋଷ୍ଟ ପାଇଁ କେତେ ଟଙ୍କା ଫିକ୍ସଡ କରିଛନ୍ତି ଦଲାଲ ।

ସ୍ୱିପର ପଦବୀ – ୩୦ ହଜାର ୬
ଆଟେଣ୍ଡାଣ୍ଟ – ୬୦ ହଜାର ସାଢେ ୭
ଷ୍ଟାଫ ନର୍ସ – ୭୦ ହଜାର ୧୦
ଏମଆରଏ ବା ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ – ୯୦ ହଜାର ୧୦
ଏଏନଏମ୍ – ୧ ଲକ୍ଷ ୩୦ ହଜାର ୧୦

କେବଳ ସେତିକି ନୁହେଁ ନିର୍ଦ୍ଦିଷ୍ଟ ଏକ ଆଉଟସୋର୍ସିଙ୍ଗ କମ୍ପାନୀକୁ ଫାଇଦା ପହଁଚାଇବା ଲାଗି ଟେଣ୍ଡର ପ୍ରକ୍ରୀୟାର ସବୁ ନିତି ନିୟମକୁ ମୋଡି ମକଚି ଦିଆ ଯାଉଥିବା ଜଳ ଜଳ ହୋଇ ଦେଖାଯାଉଛି । ୮ ଟି ଭିନ୍ନ ଭିନ୍ନ ବର୍ଗରେ ନିଯୁକ୍ତି ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହି ଥିବାବେଳେ ଏହାକୁ ଅଣଦେଖା କରି କିଛି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇଲା ପରି ଟେଣ୍ଡର ଆହ୍ୱାନ କରାଯାଇଛି । ଏବଂ ବିଜ୍ଞପ୍ତି ନଥାଇ ମଧ୍ୟ ୯ ଜଣ ଏମଆରଏ ଓ ୮ ଜଣ ଏଏନଏମ ପଦବୀ ପୂରଣ କରାଯାଇଛି । ଆଉ ଏହି ଦୁଇ ପଦବୀକୁ ମିଶାଇ ୪୬ଟି ପଦବୀ ଲାଗି ୪୬ ଲକ୍ଷ ଟଙ୍କା ଆଦାୟ ହୋଇ ଥିବା ଜଣା ପଡିଛି ।

ଫାର୍ମାସିଷ୍ଟ ମାନସ ବାରିକ ଓ କ୍ୱାକ୍ ଅଜୟଙ୍କ ସହ ଡାକ୍ତରଖାନାର ଜଣେ ବରିଷ୍ଠ ଷ୍ଟାଫ ନର୍ସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଦୁଇ ବରିଷ୍ଠ କର୍ମଚାରୀ ଏହି ର୍ୟାକେଟରେ ସାମିଲ ଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ଏକ କମ୍ପାନୀ ନାଁରେ ନିମ୍ନମାନର ଖାଦ୍ୟ ଓ ନିମ୍ନମାନର ସେବା ଯୋଗାଇବା, ସିକ୍ୟୁରିଟି ଗାର୍ଡ, ସଫେଇ କର୍ମଚାରୀଙ୍କୁ ଦରମା ନ ଦେବା, ଜାଲ ଇପିଏଫ ସାର୍ଟିଫିକେଟ ପ୍ରସ୍ତୁତ କରିବା ପରି ସଙ୍ଗୀନ ଅଭିଯୋଗ ଥାଇ ମଧ୍ୟ ସେଇ କମ୍ପାନୀ ଗୁଡିକର କାର୍ଯ୍ୟ ଅବଧି ବୃଦ୍ଧି କରିବା ଘଟଣା ସିଡିଏମଓଙ୍କ କାର୍ଯ୍ୟକଳାପକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି ।