ଘରୋଇ ଚିକିତ୍ସାଳୟକୁ ସଜାଗ ପାଇଁ ସରକାରଙ୍କ ନିର୍ଦ୍ଦେଶ । ମା’ ଗୃହକୁ ୧୩୧୭ ଗର୍ଭବତୀ ସ୍ଥାନାନ୍ତର ।

97

କନକ ବ୍ୟୁରୋ : ବାତ୍ୟା ମୁକାବିଲା ଲାଗି ଘରୋଇ ଡାକ୍ତରଖାନା ଗୁଡିକ ସଜାଗ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି । ବିଶେଷକରି କ୍ଷତିଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଲାଗି ଅଧିକ ଶଯ୍ୟା ସଂରକ୍ଷିତ ସହିତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିବା ଏବଂ ଆମ୍ବୁଲାନ୍ସ ଗୁଡିକୁ ସଜାଗ ରଖିବାଲାଗି ପରାମର୍ଶ ଦିଆଯାଇଛି । ରାଜ୍ୟର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଜି ଏ ସଂକ୍ରାନ୍ତରେ ଡାକ୍ତର ମେହେର୍ଦ୍ଦା ଆଲୋଚନା କରିଛନ୍ତି । ଆଲୋଚନା କାଳରେ ଘରୋଇ ଚିକିତ୍ସାଳୟ ଗୁଡିକ ଜଣେ ଜଣେ ନୋଡାଲ ଅଫିସରଙ୍କୁ ସ୍ୱତନ୍ତ୍ର ବାତ୍ୟା ସମୟରେ ନିୟୋଜିତ ଲାଗି ସେ କହିଛନ୍ତି ।

ରାଜ୍ୟ ସଚିବାଳୟରେ ସ୍ୱାସ୍ଥ୍ୟ ସଚିବ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ଲାଗି କରିଥିବା ଅନ୍ୟ ଏକ ବୈଠକରେ ବିଭିନ୍ନ ଜିଲ୍ଲାର ତାଜା ସ୍ଥିତି ସଂକାନ୍ତରେ ସମୀକ୍ଷା କରିଥିଲେ । ଏଥିରୁ ଜଣାପଡିଛି ଯେ ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ଆଜି ଅପରାହ୍ନ ସୁଦ୍ଧା ୩୦୨ ଟି ମୋବାଇଲ ମେଡିକାଲ ଟିମ୍ ମୁତୟନ ହୋଇଛନ୍ତି । ୪୯୪ଟି ଆମ୍ବୁଲାନ୍ସ ସଜାଗ ରହିଛି । ଏଥି ସହିତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ୩୩୬ ମେଡିକାଲ ରିଲିଫ କେନ୍ଦ୍ର ଖୋଲିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ୧୩୧୭ ଗର୍ଭବତୀ ମହିଳାଙ୍କୁ ମା’ ଗୃହ / ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଅଣାଯାଇଛି । ସେଥି ମଧ୍ୟରେ ବାଲେଶ୍ୱରର ୨୪ଜଣ ଥିବାବେଳେ ଭଦ୍ରକରେ ୮୪, କଟକରେ ୯୪, ଢେଙ୍କାନାଳରେ ୭୫, ଗଞ୍ଜାମରେ ୩୭୬, ଗଜପତିରେ ୧୩୧, ଜଗତସିଂହପୁରରେ ୪୫, ଯାଜପୁରରେ ୧୩, କେନ୍ଦ୍ରାପଡାରେ ୯୮, କେନ୍ଦୁଝରରେ ୭୬, ଖୋର୍ଦ୍ଧାରେ ୭୧, ମୟୁରଭଞ୍ଜରେ ୫୦, ପୁରୀରେ ୧୨୨ ଏବଂ ନୟାଗଡରେ ୫୮ଜଣ ଅଛନ୍ତି । ଏହି ଆସନ୍ନ ପ୍ରସବାଙ୍କ ଲାଗି ଖାଦ୍ୟ ପେୟ ସମେତ ସମସ୍ତ ପ୍ରକାର ଡାକ୍ତରୀ ସୁବିଧା ଉପଲବ୍ଧ କରାଯାଇଛି ।

ତେବେ ଏପର୍ଯ୍ୟନ୍ତ ୨୪୨ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପାୱାର ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରାଯାଇଥିବାବେଳେ ଅନ୍ୟ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ଏହା ଜାରି ରହିଛି । ଜିଲ୍ଲାମାନଙ୍କୁ ଯାଇଥିବା ବିଭାଗୀୟ ନୋଡାଲ ଅଧିକାରୀମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷାକରି ବାତ୍ୟା ମୁକାବିଲା ଲାଗି ପଦକ୍ଷେପ ନେବାକୁ ଡାକ୍ତର ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି ।