କରୋନା ମୁକାବିଲା : କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ବ୍ୟକ୍ତି, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର ।

995

କନକ ବ୍ୟୁରୋ : କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ଏଟିଏମରେ ଯଥେଷ୍ଟ ଟଙ୍କା ମହଜୁଦ ରଖିବାକୁ ଆରବିଆଇକୁ ଚିଠି ଲେଖିଛି ରାଜ୍ୟ ଅର୍ଥ ବିଭାଗ । ସେପଟେ କୌଣସି ସ୍ଥାନରେ ୭ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଣ୍ଟ, କଫି ସପ୍, ବାର, କ୍ୟାଣ୍ଟିନ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ହୋଟେଲକୁ ସମାଜିକ ଦୂରତ୍ୱ ବଜାୟ ରଖିବା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ଓଡିଶାରେ ମୋଟ ୬୬ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ଜଣଙ୍କ ପଜିଟିଭ, ୬୦ ଜଣଙ୍କ ନେଗେଟିଭ ରିପୋର୍ଟ ଆସିଛି । ଅନ୍ୟ ୪ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ସୁବ୍ରତ ବାଗଚୀ ।

ଅତି ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ବୟସ୍କ ବ୍ୟକ୍ତି ଘରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ଡାକ୍ତରଖାନା ଯାଇ ଚିକିତ୍ସା ସେବା ଉପରେ ଚାପ ବଢାନ୍ତୁ ନାହିଁ ବୋଲି କହିିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର । ଏଥିସହ ବିଦେଶୀ ଓ ରାଜ୍ୟ ବାହାର ଲୋକଙ୍କୁ ଲାଂଛନା ନଦେବା ପାଇଁ ଅପିଲ କରିଛନ୍ତି ସୁବ୍ରତ ବାଗଚୀ ।

ବିଶ୍ୱର ୧୮୨ ଦେଶକୁ କରୋନା ବ୍ୟାପିଯାଇଛି । ଏବେ ବିଶ୍ୱରେ ୨ଲକ୍ଷ ୪୬ହଜାର ୫୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୪୦ ହଜାର ୯୦ଜଣଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଯେଉଁମାନେ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କରୋନା ମୁକାବିଲା ପାଇଁ ୨୪ ଘଣ୍ଟିଆ ସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଚଳିତ ନକରିବାକୁ ଓ ତାଙ୍କ କାମରେ ବାଧା ନପହଂଚାଇବାକୁ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା କହିଛନ୍ତି ସୁବ୍ରତ ବାଗଚୀ ।