ଟିକାର ସବୁଠାରୁ ବଡ଼ ଅର୍ଡ଼ର ଦେଲେ ସରକାର । କୋଭିସିଲ୍ଡ ଓ କୋଭାକ୍ସିନର ୬୬ କୋଟି ଡ଼ୋଜ ପାଇଁ ୧୪ ହଜାର ୫୦୫କୋଟି ଟଙ୍କାର ବରାଦ ।

327

କନକ ବ୍ୟୁରୋ: ଟିକା ନେଇ ସବୁଠୁ ବଡ଼ ଅର୍ଡର ଦେଲେ କେନ୍ଦ୍ର ସରକାର  । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦିଆଯାଇଛି । ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ୍ ପାଇଁ ଏହି ଅର୍ଡର ଦେଇଛି କେନ୍ଦ୍ର  ।

ଡିସେମ୍ବର ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର  । ଆଉ ଏଥିପାଇଁ ପର୍ଯ୍ୟାପ୍ତ ଟିକାର ଆବଶ୍ୟକ ରହିଛି  । ଜୁନ୍ ୨୬ରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ  । ଏଥିରେ ଦର୍ଶାଯାଇଥିଲା ଯେ, ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୧୩୫ କୋଟି ଡୋଜ୍ ପାଇଁ ବ୍ୟବସ୍ଥା କରାଯାଉଛି  । ଏବେ କରାଯାଇଥିବା ୬୬ କୋଟି ଡୋଜ୍ ବରାଦ ସହ ଅନ୍ୟ ୩୦ କୋଟି ଡୋଜ୍ ପାଇଁ ମଧ୍ୟ ଆଗୁଆ ଅର୍ଥ ପୈଠ କରାଯାଇଛି  ।

ହାଇଦ୍ରାବାଦ ସ୍ଥିତ ବାଇଲୋଜିକାଲ-ଇ’ର କର୍ବେଭାକ୍ସ ଟିକା ପାଇଁ ଏହି ଆଗୁଆ ଅର୍ଥ ଦିଆଯାଇଛି  । ଦେଶରେ ଏବେ କୋଭିସିଲଡ, କୋଭାକ୍ସିନ ଓ ସ୍ପୁଟନିକ  ଭି ଟିକା ଦିଆଯାଉଛି  । ହେଲେ ଅନେକ ସମୟରେ ଟିକାର ଅଭାବ ଖବର ସାମ୍ନାକୁ ଆସୁଛି  । ଆଉ ଟିକାର ଅଭାବ ଯୋଗୁଁ ଟିକାକରଣ ଅନେକ ଭାବେ ପ୍ରଭାବିତ ହେଉଛି, ତେଣୁ ଏବେ ବରାଦ ହୋଇଥିବା ଏହି ସବୁ ଟିକାର ଡୋଜ୍ ଉପଲବ୍ଧ ହେଲେ ଟିକାକରଣର ବେଗ ଆଗକୁ ବଢ଼ିବାର ସମ୍ଭାବନା ରହିଛି  ।