ପୁରୁଣା ଗାଡି କବାଡିଆରେ ଦିଅନ୍ତୁ । ନୂଆ ଗାଡି କିଣି ରୋଡ ଟ୍ୟାକ୍ସରେ ପାଆନ୍ତୁ ୨୫% ରିହାତି

146

କନକ ବ୍ୟୁରୋ: ନିଜ ପୁରୁଣା ଗାଡି କବାଡିଆରେ ଦେଇ ନୂଆ ଗାଡି କିଣିଲେ ରୋଡ ଟ୍ୟାକ୍ସ ଉପରେ ମିଳିବ ୨୫% ରିହାତି । ଏପରି ଘୋଷଣା କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ । ଏହି ନିଷ୍ପତ୍ତି ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗାଡି ଗୁଡିକୁ ସ୍କ୍ରାପିଂରେ ଜମା କରିବା ପରେ ଗାଡି ମାଲିକଙ୍କୁ ଏକ ପ୍ରମାଣପତ୍ର ଜାରି କରାଯିବ । ଏହି ପ୍ରମାଣପତ୍ର ଆଧାରରେ ନୂଆ ଗାଡି କିଣିବା କ୍ଷେତ୍ରରେ ରିହାତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୨୫% ଓ ବାଣିଜ୍ୟିକ ଯାନ କ୍ଷେତ୍ରରେ ୧୫% ରିହାତି ମିଳିବ ।

 

ଏହି ରିହାତି ଅବଧି ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୧୫ ବର୍ଷ ରହିବା ସହ ବାଣିଜ୍ୟିକ ଯାନ କ୍ଷେତ୍ରରେ ୮ ବର୍ଷ ଜାରି ରହିବ । ଗାଡି ଚୋରି ତଥା ଅନ୍ୟ କୌଣସି ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ବାବଦରେ ଜାଣିବା ପାଇଁ ସ୍କ୍ରାପିଂ ସେଣ୍ଟର ଗୁଡିକୁ ଜାତୀୟ କ୍ରାଇମ ବ୍ୟୁରୋ ସହ ସଂଯୋଗ କରାଯିବ । ଏହା ସହ ସ୍କ୍ରାପିଂ ସେଣ୍ଟର ଗୁଡିକୁ ଆରଟିଓ ସହ ମଧ୍ୟ ସଂଯୋଗ କରାଯିବ । ଫଳରେ ପୁରୁଣା ଯାନବାହାନ ଗୁଡିକର ଡିରେଜିଷ୍ଟ୍ରେସନ୍ କରାଯିବ ସହ ନୂଆ ପ୍ରମାଣପତ୍ର ମିଳିପାରିବ ।